38ତୁମ୍ଭର ପରିଚାରକ ନୂନର ପୁତ୍ର ଯିହୋଶୂୟ ସେହି ସ୍ଥାନରେ ପ୍ରବେଶ କରିବ ତୁମ୍ଭେ ତାହାକୁ ସାହସ ଦିଅ ଯେହେତୁ ସେ ଇସ୍ରାଏଲକୁ ତାହା ଅଧିକାର କରାଇବ।
39ଆହୁରି ତୁମ୍ଭମାନଙ୍କର ବାଳକମାନେ, ଯେଉଁମାନେ ଲୁଟିତ ହେବେ ବୋଲି ତୁମ୍ଭେମାନେ କହିଥିଲ ଓ ତୁମ୍ଭମାନଙ୍କର ସନ୍ତାନମାନେ, ଯେଉଁମାନେ ଆଜି ପର୍ଯ୍ୟନ୍ତ ଭଲ ମନ୍ଦର ଜ୍ଞାନ ପାଇ ନାହାନ୍ତି, ସେମାନେ ସେହି ସ୍ଥାନରେ ପ୍ରବେଶ କରିବେ; ପୁଣି ଆମ୍ଭେ ସେମାନଙ୍କୁ ସେହି ଦେଶ ଦେବା ଓ ସେମାନେ ତାହା ଅଧିକାର କରିବେ।
40ମାତ୍ର ତୁମ୍ଭେମାନେ ବାହୁଡ଼ି ସୂଫ ସାଗର ପଥ ଦେଇ ପ୍ରାନ୍ତରକୁ ଯାତ୍ରା କର।”
41ଏଥିରେ ତୁମ୍ଭେମାନେ ଉତ୍ତର କରି ମୋତେ କହିଲ, “ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ; ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଯେଉଁ ସମସ୍ତ ଆଜ୍ଞା ଦେଇଅଛନ୍ତି, ଆମ୍ଭେମାନେ ତଦନୁସାରେ ଉଠିଯାଇ ଯୁଦ୍ଧ କରିବୁ।” ପୁଣି ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଯୁଦ୍ଧାସ୍ତ୍ର ବାନ୍ଧି ପର୍ବତ ଆରୋହଣ କରିବାକୁ ବ୍ୟଗ୍ର ହେଲ।
42ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ସେମାନଙ୍କୁ କୁହ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟବର୍ତ୍ତୀ ନାହୁଁ, ‘ଏଣୁ ତୁମ୍ଭେମାନେ ଆରୋହଣ କର ନାହିଁ, କିଅବା ଯୁଦ୍ଧ କର ନାହିଁ;’ କଲେ ଶତ୍ରୁମାନଙ୍କ ସମ୍ମୁଖରେ ଆହତ ହେବ।”