17ତୁମ୍ଭେ ଆପଣା ଶସ୍ୟର କି ଦ୍ରାକ୍ଷାରସର କି ତୈଳର ଦଶମାଂଶ, କି ଗୋମେଷାଦିର ପ୍ରଥମଜାତ, କିଅବା ତୁମ୍ଭ ମନାସିବାର ମାନତ ଦ୍ରବ୍ୟ କି ତୁମ୍ଭ ସ୍ଵେଚ୍ଛାଦତ୍ତ ନୈବେଦ୍ୟ କି ତୁମ୍ଭ ହସ୍ତର ଉତ୍ତୋଳନୀୟ ଉପହାର, ଆପଣା ନଗର-ଦ୍ୱାର ମଧ୍ୟରେ ଭୋଜନ କରି ପାରିବ ନାହିଁ।
18ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ତୁମ୍ଭେ ତାହା ଭୋଜନ କରିବ, ତୁମ୍ଭେ, ତୁମ୍ଭ ପୁତ୍ର, ତୁମ୍ଭ କନ୍ୟା, ତୁମ୍ଭ ଦାସ, ତୁମ୍ଭ ଦାସୀ ଓ ତୁମ୍ଭ ନଗର-ଦ୍ୱାର ମଧ୍ୟବର୍ତ୍ତୀ ଲେବୀୟ ଲୋକ (ତାହା ଭୋଜନ କରିବ) ଯେସମସ୍ତ ବିଷୟରେ ତୁମ୍ଭେ ହାତ ଦେବ, ତହିଁରେ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦ କରିବ।
19ତୁମ୍ଭେ ଆପଣା ବିଷୟରେ ସାବଧାନ ହୁଅ, ଯେପରି ତୁମ୍ଭେ ଆପଣା ଭୂମିରେ ବଞ୍ଚିଥିବା ଯାଏ ଲେବୀୟ ଲୋକକୁ ତ୍ୟାଗ କରିବ ନାହିଁ।
20ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେରୂପ ପ୍ରତିଜ୍ଞା କରିଅଛନ୍ତି, ତଦନୁସାରେ ସେ ଯେତେବେଳେ ତୁମ୍ଭ ସୀମା ବିସ୍ତାର କରିବେ, ପୁଣି ମାଂସ ଭୋଜନ କରିବାକୁ ତୁମ୍ଭର ବାଞ୍ଛା ହୁଅନ୍ତେ, ତୁମ୍ଭେ କହିବ, “ଆମ୍ଭେ ମାଂସ ଭୋଜନ କରିବା,” ସେତେବେଳେ ତୁମ୍ଭେ ଆପଣା ପ୍ରାଣର ବାଞ୍ଛାନୁସାରେ ମାଂସ ଭୋଜନ କରି ପାରିବ।
21ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ରଖିବା ନିମନ୍ତେ ଯେଉଁ ସ୍ଥାନ ମନୋନୀତ କରିବେ, ତାହା ଯଦି ତୁମ୍ଭ ନିକଟରୁ ବହୁତ ଦୂର ହୁଏ, ତେବେ ତୁମ୍ଭେ ସଦାପ୍ରଭୁଙ୍କ ଦତ୍ତ ଗୋମେଷାଦି ପଲରୁ ପଶୁ ନେଇ ଆମ୍ଭ ଆଜ୍ଞାମତେ ବଧ କରି ଆପଣା ପ୍ରାଣର ବାଞ୍ଛାନୁସାରେ ନଗର-ଦ୍ୱାର ଭିତରେ ଭୋଜନ କରି ପାରିବ।