1କୌଣସି ପୁରୁଷ କୌଣସି ସ୍ତ୍ରୀକୁ ବିବାହ କରି ଗ୍ରହଣ କଲା ଉତ୍ତାରେ ଯେବେ ସେ ତାହାଠାରେ କୌଣସି ଅବିଶ୍ୱସ୍ତ ବିଷୟ ପାଇବାରୁ ସେହି ସ୍ତ୍ରୀ ତାହା ଦୃଷ୍ଟିରେ ଅନୁଗ୍ରହ ନ ପାଏ, ତେବେ ସେ ପୁରୁଷ ତାହା ନିମନ୍ତେ ଏକ ଛାଡ଼ପତ୍ର ଲେଖି ତାହା ହସ୍ତରେ ଦେଇ ଆପଣା ଗୃହରୁ ତାହାକୁ ବିଦାୟ କରିବ।
2ପୁଣି ସେ ସ୍ତ୍ରୀ ତାହାର ଗୃହରୁ ବାହାରିଗଲା ଉତ୍ତାରେ, ସେ ଯାଇ ଅନ୍ୟ ପୁରୁଷର ଭାର୍ଯ୍ୟା ହୋଇ ପାରିବ।
3ମାତ୍ର ସେହି ଶେଷ ସ୍ୱାମୀ ଯଦି ତାହାକୁ ଘୃଣା କରେ ଓ ଏକ ଛାଡ଼ପତ୍ର ଲେଖି ତାହାର ହସ୍ତରେ ଦେଇ ତାହାକୁ ଆପଣା ଗୃହରୁ ବିଦାୟ କରିଦିଏ; ଅବା ଯେ ତାହାକୁ ଭାର୍ଯ୍ୟା ରୂପେ ଗ୍ରହଣ କରିଥିଲା, ସେହି ଶେଷ ସ୍ୱାମୀ ଯେବେ ମରେ;
4ତେବେ ସେ କଳଙ୍କିତା ହେଲା ଉତ୍ତାରେ ତାହାର ପ୍ରଥମ ସ୍ୱାମୀ, ଯେ ତାହାକୁ ବିଦାୟ ଦେଇଥିଲା, ତାହାକୁ ପୁନର୍ବାର ବିବାହ କରି ପାରିବ ନାହିଁ; କାରଣ ତାହା ସଦାପ୍ରଭୁଙ୍କ ସମ୍ମୁଖରେ ଘୃଣାଯୋଗ୍ୟ ଅଟେ; ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଧିକାରାର୍ଥେ ଯେଉଁ ଦେଶ ତୁମ୍ଭକୁ ଦିଅନ୍ତି, ତୁମ୍ଭେ ତାହା ପାପରେ ଲିପ୍ତ କରିବ ନାହିଁ।