4ତେବେ ସେ କଳଙ୍କିତା ହେଲା ଉତ୍ତାରେ ତାହାର ପ୍ରଥମ ସ୍ୱାମୀ, ଯେ ତାହାକୁ ବିଦାୟ ଦେଇଥିଲା, ତାହାକୁ ପୁନର୍ବାର ବିବାହ କରି ପାରିବ ନାହିଁ; କାରଣ ତାହା ସଦାପ୍ରଭୁଙ୍କ ସମ୍ମୁଖରେ ଘୃଣାଯୋଗ୍ୟ ଅଟେ; ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଧିକାରାର୍ଥେ ଯେଉଁ ଦେଶ ତୁମ୍ଭକୁ ଦିଅନ୍ତି, ତୁମ୍ଭେ ତାହା ପାପରେ ଲିପ୍ତ କରିବ ନାହିଁ।
5କୌଣସି ବ୍ୟକ୍ତି ନୂତନ ଭାର୍ଯ୍ୟା ଗ୍ରହଣ କଲେ, ସେ ସୈନ୍ୟ ସଙ୍ଗେ ବାହାରକୁ ଯିବ ନାହିଁ, କିଅବା ତାହାକୁ କୌଣସି କର୍ମର ଭାର ଦିଆଯିବ ନାହିଁ; ସେ ଏକ ବର୍ଷ ପର୍ଯ୍ୟନ୍ତ ଆପଣା ଗୃହରେ ନିଷ୍କର୍ମରେ ରହି ଆପଣା ଗୃହୀତା ଭାର୍ଯ୍ୟାର ମନୋରଞ୍ଜନ କରିବ।
6କେହି ଚକି ବା ଚକିର ଉପର-ପଟ ବନ୍ଧକ ରଖିବ ନାହିଁ; ତାହା କଲେ, ମନୁଷ୍ୟର ପ୍ରାଣ ବନ୍ଧକ ରଖିବାର ହୁଏ।
7କୌଣସି ମନୁଷ୍ୟ ଯେବେ ଆପଣା ଭାଇ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ କୌଣସି ପ୍ରାଣୀକୁ ଚୋରି କରିବାର ଧରା ପଡ଼େ, ପୁଣି ସେ ତାହାକୁ ଦାସ ପରି ବ୍ୟବହାର କରେ, ବା ତାହାକୁ ବିକି ଦିଏ; ତେବେ ସେହି ଚୋର ହତ ହେବ; ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ।
8କୁଷ୍ଠରୋଗର ଘାʼ ବିଷୟରେ ସାବଧାନ ହୁଅ, ଲେବୀୟ ଯାଜକମାନେ ତୁମ୍ଭକୁ ଯେଉଁ ସକଳ ଶିକ୍ଷା ଦିଅନ୍ତି, ତଦନୁସାରେ କରିବା ପାଇଁ ଯତ୍ନପୂର୍ବକ ମନୋଯୋଗ କର। ଆମ୍ଭେ ସେମାନଙ୍କୁ ଯେରୂପ ଆଜ୍ଞା ଦେଇଅଛୁ, ସେରୂପ କରିବାକୁ ତୁମ୍ଭେମାନେ ମନୋଯୋଗ କରିବ।