7ଏଥିରେ ମୋଶା ଯିହୋଶୂୟଙ୍କୁ ଡାକି ସମୁଦାୟ ଇସ୍ରାଏଲଙ୍କ ସାକ୍ଷାତରେ ତାଙ୍କୁ କହିଲେ, “ବଳବାନ ଓ ସାହସିକ ହୁଅ; ଯେହେତୁ ସଦାପ୍ରଭୁ ସେମାନଙ୍କୁ ଯେଉଁ ଦେଶ ଦେବା ପାଇଁ ସେମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଥିଲେ, ସେହି ଦେଶକୁ ତୁମ୍ଭେ ଏହି ଲୋକଙ୍କ ସହିତ ଯିବ; ଆଉ ତୁମ୍ଭେ ସେମାନଙ୍କୁ ତାହା ଅଧିକାର କରାଇବ।
8ପୁଣି, ସଦାପ୍ରଭୁ, ସେ ଆପେ ତୁମ୍ଭର ଅଗ୍ରଗାମୀ ହୋଇ ଗମନ କରୁଅଛନ୍ତି; ସେ ତୁମ୍ଭର ସଙ୍ଗୀ ହେବେ, ସେ ତୁମ୍ଭ ପ୍ରତି ନିରସ୍ତ ହେବେ ନାହିଁ, କିଅବା ତୁମ୍ଭକୁ ତ୍ୟାଗ କରିବେ ନାହିଁ; ଭୟ କର ନାହିଁ, କି ହତାଶ ହୁଅ ନାହିଁ।”
9ଏଥିଉତ୍ତାରେ ମୋଶା ଏହି ବ୍ୟବସ୍ଥା ଲେଖି ସଦାପ୍ରଭୁଙ୍କ ନିୟମ-ସିନ୍ଦୁକବାହକ ଲେବୀୟ ଯାଜକମାନଙ୍କୁ ଓ ଇସ୍ରାଏଲର ସମସ୍ତ ପ୍ରାଚୀନବର୍ଗଙ୍କଠାରେ ସମର୍ପଣ କଲେ।
10ପୁଣି, ମୋଶା ସେମାନଙ୍କୁ ଆଜ୍ଞା ଦେଇ କହିଲେ, “ପ୍ରତ୍ୟେକ ସାତ ବର୍ଷ ଶେଷରେ ଋଣ କ୍ଷମା ବର୍ଷର ନିରୂପିତ ସମୟରେ, ପତ୍ରକୁଟୀର ପର୍ବରେ,
11ଯେତେବେଳେ ସମୁଦାୟ ଇସ୍ରାଏଲ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ମନୋନୀତ ସ୍ଥାନରେ ତାହାଙ୍କ ସମ୍ମୁଖରେ ଉପସ୍ଥିତ ହେବେ, ସେତେବେଳେ ସମସ୍ତ ଇସ୍ରାଏଲ ସାକ୍ଷାତରେ ସେମାନଙ୍କ କର୍ଣ୍ଣଗୋଚରରେ ତୁମ୍ଭେ ଏହି ବ୍ୟବସ୍ଥା ପାଠ କରିବ।