11ତହୁଁ ତୁମ୍ଭେମାନେ ନିକଟବର୍ତ୍ତୀ ହୋଇ ପର୍ବତ ତଳେ ଠିଆ ହେଲ; ସେହି ସମୟରେ ସେହି ପର୍ବତ ଅନ୍ଧକାର, ମେଘ ଓ ଘୋର ଅନ୍ଧାରରେ ବ୍ୟାପ୍ତ ହୋଇ ଗଗନର ମଧ୍ୟ ପର୍ଯ୍ୟନ୍ତ ଅଗ୍ନିରେ ଜ୍ୱଳିଲା।
12ସେତେବେଳେ ସଦାପ୍ରଭୁ ସେହି ଅଗ୍ନି ମଧ୍ୟରୁ ତୁମ୍ଭମାନଙ୍କ ପ୍ରତି କଥା କହିଲେ, “ତୁମ୍ଭେମାନେ ବାକ୍ୟର ଶବ୍ଦ ଶୁଣିଲ, ମାତ୍ର କୌଣସି ମୂର୍ତ୍ତି ଦେଖିଲ ନାହିଁ, ତୁମ୍ଭେମାନେ କେବଳ ଶବ୍ଦ ଶୁଣିଲ।”
13ପୁଣି ସେ ଆପଣାର ଯେଉଁ ନିୟମ ପାଳନ କରିବା ପାଇଁ ତୁମ୍ଭମାନଙ୍କୁ ଆଦେଶ କଲେ, ଆପଣାର ସେହି ନିୟମର ଦଶ ଆଜ୍ଞା ତୁମ୍ଭମାନଙ୍କ ପ୍ରତି ପ୍ରକାଶ କଲେ; ଆଉ ସେ ଦୁଇ ପଥର ପଟାରେ ତାହା ଲେଖିଲେ।
14ପୁଣି ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ପାର ହୋଇ ଯାଉଅଛ, ସେହି ଦେଶରେ ତୁମ୍ଭମାନଙ୍କର ପାଳନୀୟ ବିଧି ଓ ଶାସନସକଳ ତୁମ୍ଭମାନଙ୍କୁ ଶିଖାଇବା ପାଇଁ ସଦାପ୍ରଭୁ ସେହି ସମୟରେ ମୋତେ ଆଜ୍ଞା ଦେଲେ।
15ଏନିମନ୍ତେ ତୁମ୍ଭେମାନେ ଆପଣା ଆପଣା ପ୍ରାଣ ବିଷୟରେ ଅତିଶୟ ସାବଧାନ ହୁଅ; କାରଣ ଯେଉଁ ଦିନ ସଦାପ୍ରଭୁ ହୋରେବରେ ଅଗ୍ନି ମଧ୍ୟରୁ ତୁମ୍ଭମାନଙ୍କ ସହିତ କଥା କହିଲେ, ସେଦିନ ତୁମ୍ଭେମାନେ କୌଣସି ମୂର୍ତ୍ତି ଦେଖିଲ ନାହିଁ।