16ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ହସ୍ତରେ ଯେଉଁ ଲୋକମାନଙ୍କୁ ସମର୍ପଣ କରିବେ, ତୁମ୍ଭେ ସେମାନଙ୍କୁ ଗ୍ରାସ କରିବ; ତୁମ୍ଭର ଚକ୍ଷୁ ସେମାନଙ୍କୁ ଦୟା କରିବ ନାହିଁ; କିଅବା ତୁମ୍ଭେ ସେମାନଙ୍କ ଦେବଗଣକୁ ସେବା କରିବ ନାହିଁ, କାରଣ ତାହା ତୁମ୍ଭର ଫାନ୍ଦ ସ୍ୱରୂପ ହେବ।
17ଯେବେ ତୁମ୍ଭେ ଆପଣା ମନେ ମନେ କହିବ, “ଏହି ଗୋଷ୍ଠୀୟ ଲୋକମାନେ ଆମ୍ଭଠାରୁ ଅଧିକ; ଆମ୍ଭେ କିପରି ସେମାନଙ୍କୁ ଅଧିକାରଚ୍ୟୁତ କରି ପାରିବା?” ତଥାପି ତୁମ୍ଭେ ସେମାନଙ୍କଠାରୁ ଭୀତ ହେବ ନାହିଁ।
18ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଫାରୋ ଓ ସମସ୍ତ ମିସର ପ୍ରତି ଯେଉଁ ଯେଉଁ କର୍ମ କରିଅଛନ୍ତି;
19ତୁମ୍ଭେ ନିଜ ଆଖିରେ ଯେଉଁ ମହା ମହା ପରଖ ଦେଖିଅଛ, ଯେଉଁ ଯେଉଁ ଚିହ୍ନ, ଆଶ୍ଚର୍ଯ୍ୟକ୍ରିୟା, ପରାକ୍ରାନ୍ତ ହସ୍ତ ଓ ବିସ୍ତାରିତ ବାହୁ ଦ୍ୱାରା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ବାହାର କରି ଆଣିଅଛନ୍ତି, ତାହାସବୁ ଉତ୍ତମ ରୂପେ ସ୍ମରଣ କରିବ। ତୁମ୍ଭେ ଯେଉଁମାନଙ୍କୁ ଭୟ କରୁଅଛ, ସେସମସ୍ତ ଲୋକଙ୍କ ପ୍ରତି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେହିପରି କରିବେ।
20ଆହୁରି ଯେଉଁମାନେ ଅବଶିଷ୍ଟ ରହିବେ ଓ ଆପଣାମାନଙ୍କୁ ଲୁଚାଇ ରଖିବେ, ସେମାନେ ତୁମ୍ଭ ସମ୍ମୁଖରୁ ବିନଷ୍ଟ ନ ହେବା ପର୍ଯ୍ୟନ୍ତ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେମାନଙ୍କ ମଧ୍ୟକୁ ବିରୁଡ଼ି ପଠାଇବେ।