13ତହୁଁ ଏଷ୍ଟର କହିଲେ, “ଯେବେ ମହାରାଜ ସନ୍ତୁଷ୍ଟ ହୁଅନ୍ତି, ତେବେ ଆଜିର ଆଜ୍ଞା ପ୍ରମାଣେ କାଲି ହିଁ କରିବାର ଅନୁମତି ଶୂଶନ୍ସ୍ଥ ଯିହୁଦୀୟମାନଙ୍କ ପ୍ରତି ଦତ୍ତ ହେଉ, ଆଉ ହାମନ୍ର ଦଶ ପୁତ୍ର ଫାଶୀକାଠରେ ଟଙ୍ଗା ଯାଉନ୍ତୁ।”
14ଏଥିରେ “ସେପରି କରାଯିବାକୁ” ରାଜା ଆଜ୍ଞା ଦେଲେ ପୁଣି, ସେହି ଆଜ୍ଞା ଶୂଶନ୍ରେ ପ୍ରଚାରିତ ହେଲା; ତହିଁରେ ଲୋକମାନେ ହାମନ୍ର ଦଶ ପୁତ୍ରଙ୍କୁ ଫାଶୀକାଠରେ ଟଙ୍ଗାଇଲେ।
15ଆଉ, ଶୂଶନ୍ସ୍ଥ ଯିହୁଦୀୟମାନେ ଅଦର ମାସର ଚତୁର୍ଦ୍ଦଶ ଦିନରେ ମଧ୍ୟ ଏକତ୍ରିତ ହୋଇ ଶୂଶନ୍ରେ ତିନି ଶତ ଲୋକଙ୍କୁ ବଧ କଲେ, ମାତ୍ର ଲୁଟ କରିବା ପାଇଁ ହସ୍ତକ୍ଷେପ କଲେ ନାହିଁ।
16ଏଥିମଧ୍ୟରେ ରାଜାଙ୍କ ନାନା ପ୍ରଦେଶ ନିବାସୀ ଅନ୍ୟ ସକଳ ଯିହୁଦୀୟ ଲୋକମାନେ ଏକତ୍ରିତ ହୋଇ ଆପଣା ଆପଣା ପ୍ରାଣ ନିମନ୍ତେ ଠିଆ ହେଲେ; ପୁଣି, ଆପଣାମାନଙ୍କ ଶତ୍ରୁଗଣଠାରୁ ବିଶ୍ରାମ ପାଇ ଘୃଣାକାରୀମାନଙ୍କର ପଞ୍ଚସ୍ତରି ସହସ୍ର ଲୋକଙ୍କୁ ବଧ କଲେ, ମାତ୍ର ଲୁଟ କରିବା ପାଇଁ ହସ୍ତକ୍ଷେପ କଲେ ନାହିଁ।
17ଏହି ସମସ୍ତ ଅଦର ମାସର ତ୍ରୟୋଦଶ ଦିନରେ ହେଲା; ପୁଣି, ସେହି ମାସର ଚତୁର୍ଦ୍ଦଶ ଦିନରେ ସେମାନେ ବିଶ୍ରାମ କରି ତାହା ଭୋଜନପାନ ଓ ଆନନ୍ଦ କରିବାର ଦିନ କଲେ।