1ଆଉ ତୁମ୍ଭେ ଏହିସବୁ ନିୟମ ସେମାନଙ୍କୁ ଜ୍ଞାତ କରାଇବ। ଯଥା,
2ତୁମ୍ଭେ ଏବ୍ରୀୟ ଦାସ କ୍ରୟ କଲେ, ସେ ଛଅ ବର୍ଷ ସେବା କରିବ; ପୁଣି, ସପ୍ତମ ବର୍ଷରେ ସେ ବିନାମୂଲ୍ୟରେ ମୁକ୍ତ ହୋଇଯିବ।
3ଯଦି ସେ ଏକାକୀ ଆସିଥାଏ, ତେବେ ସେ ଏକାକୀ ଯିବ; ଆଉ ଯଦି ସେ ବିବାହିତ ହୋଇ ଆସିଥାଏ, ତେବେ ତାହାର ଭାର୍ଯ୍ୟା ତାହା ସଙ୍ଗେ ବାହାରି ଯିବ।
4ପୁଣି, ଯଦି ତାହାର ପ୍ରଭୁ ତାହାକୁ ବିବାହ କରି ଦେଇଥାଏ ଓ ସେହି ସ୍ତ୍ରୀଠାରୁ ପୁତ୍ରକନ୍ୟାର ଜନ୍ମ ହୋଇଥାଏ, ତେବେ ସେହି ସ୍ତ୍ରୀ ଓ ତାହାର ସନ୍ତାନମାନଙ୍କ ଉପରେ ତାହାର ପ୍ରଭୁର ଅଧିକାର ହେବ ଓ ସେ ଏକାକୀ ବାହାରି ଯିବ।
5ମାତ୍ର “ମୁଁ ଆପଣା ପ୍ରଭୁଙ୍କୁ, ପୁଣି, ଆପଣା ଭାର୍ଯ୍ୟା ଓ ସନ୍ତାନଗଣଙ୍କୁ ପ୍ରେମ କରେ, ଏଣୁ ମୁଁ ମୁକ୍ତ ହୋଇଯିବି ନାହିଁ,” ଏପରି କଥା ଯଦି ସେହି ଦାସ ଦୃଢ଼ ରୂପେ କହିବ,