8ପୁଣି, ଏଫୋଦର ଯେଉଁ ଚିତ୍ରିତ ପଟୁକା ତହିଁ ଉପରେ ରହିବ, ତହିଁର ଚିତ୍ରିତ କର୍ମ ସେହି ବସ୍ତ୍ରାନୁସାରେ ହେବ; ଅର୍ଥାତ୍, ସ୍ୱର୍ଣ୍ଣରେ, ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରରେ ହେବ।
9ଏଥିଉତ୍ତାରେ ତୁମ୍ଭେ ଦୁଇ ଗୋମେଦକ ମଣି ଘେନି ତହିଁ ଉପରେ ଇସ୍ରାଏଲର ପୁତ୍ରମାନଙ୍କ ନାମ ଖୋଦିତ କରିବ।
10ଅର୍ଥାତ୍, ସେମାନଙ୍କ ବଂଶାବଳୀ ଅନୁସାରେ ଛଅ ନାମ ଏକ ମଣି ଉପରେ ଓ ଅବଶିଷ୍ଟ ଛଅ ନାମ ଅନ୍ୟ ମଣି ଉପରେ ଖୋଦିତ କରିବ।
11ଶିଳ୍ପକର୍ମରେ ମୁଦ୍ରା ଖୋଦିତ କରିବା ନ୍ୟାୟ ସେହି ଦୁଇ ମଣି ଉପରେ ଇସ୍ରାଏଲର ପୁତ୍ରଗଣର ନାମ ଖୋଦିତ କରିବ, ପୁଣି, ତାହା ଦୁଇ ସ୍ୱର୍ଣ୍ଣାଧାରରେ ବନ୍ଦ କରିବ।
12ପୁଣି, ଇସ୍ରାଏଲର ସନ୍ତାନଗଣଙ୍କୁ ସ୍ମରଣ କରିବା ନିମନ୍ତେ ତୁମ୍ଭେ ସେହି ଦୁଇ ମଣି ଏଫୋଦର ଦୁଇ ସ୍କନ୍ଧପଟିରେ ଦେବ; ତହିଁରେ ହାରୋଣ ସ୍ମରଣାର୍ଥେ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣା ଦୁଇ ସ୍କନ୍ଧରେ ସେମାନଙ୍କ ନାମ ବହିବ।