12‘ସେ ପର୍ବତମୟ ଅଞ୍ଚଳରେ ସେମାନଙ୍କୁ ନଷ୍ଟ କରି ପୃଥିବୀରୁ ଲୋପ କରିବା ପାଇଁ, ଅନିଷ୍ଟ ନିମନ୍ତେ ବାହାର କରି ଆଣିଲେ,’ ଏପରି କଥା ମିସରୀୟମାନେ କାହିଁକି ଗଳ୍ପ କରିବେ? ତୁମ୍ଭେ ଆପଣା ପ୍ରଚଣ୍ଡ କ୍ରୋଧରୁ ଫେର ଓ ଆପଣା ଲୋକମାନଙ୍କ ପ୍ରତିକୂଳରେ ଏପରି ଅନିଷ୍ଟ ବିଷୟରୁ ନିବୃତ୍ତ ହୁଅ।
13ଆପଣା ଦାସ ଅବ୍ରହାମ ଓ ଇସ୍ହାକ ଓ ଇସ୍ରାଏଲଙ୍କୁ ସ୍ମରଣ କର, ତୁମ୍ଭେ ଆପଣା ନିଜ ନାମରେ ଶପଥ କରି ସେମାନଙ୍କୁ କହିଅଛ, ‘ଆମ୍ଭେ ଆକାଶର ତାରାଗଣ ନ୍ୟାୟ ତୁମ୍ଭମାନଙ୍କ ବଂଶ ବୃଦ୍ଧି କରିବା ଓ ଏହି ଯେଉଁସବୁ ଦେଶର କଥା କହିଲୁ, ତାହା ତୁମ୍ଭମାନଙ୍କ ବଂଶକୁ ଦେବା, ସେମାନେ ଅନନ୍ତକାଳ ପର୍ଯ୍ୟନ୍ତ ତାହା ଅଧିକାର କରିବେ।’”
14ତେବେ ସଦାପ୍ରଭୁ ଆପଣା ଲୋକମାନଙ୍କ ପ୍ରତି ଯେଉଁ ଅନିଷ୍ଟ କରିବାର କଥା କହିଥିଲେ, ତହିଁରୁ ନିବୃତ୍ତ ହେଲେ।
15ଏଥିଉତ୍ତାରେ ମୋଶା ମୁଖ ଫେରାଇ ସାକ୍ଷ୍ୟ ସ୍ୱରୂପ ଦୁଇ ପ୍ରସ୍ତର ପଟା ହସ୍ତରେ ଘେନି ପର୍ବତରୁ ଓହ୍ଲାଇଲେ; ସେହି ପ୍ରସ୍ତର ପଟାର ଉଭୟ ପାର୍ଶ୍ୱରେ ଲେଖାଥିଲା।
16ସେହି ପ୍ରସ୍ତର ପଟା ପରମେଶ୍ୱରଙ୍କ ନିର୍ମିତ; ପୁଣି, ତହିଁରେ ଖୋଦିତ ଲିଖନ ହିଁ ପରମେଶ୍ୱରଙ୍କ ଲିଖନ ଥିଲା।