21ତହୁଁ ମୋଶା ହାରୋଣଙ୍କୁ କହିଲେ, “ଏହି ଲୋକମାନେ ତୁମ୍ଭ ପ୍ରତି କʼଣ କଲେ ଯେ, ତୁମ୍ଭେ ସେମାନଙ୍କ ଉପରେ ଏପରି ମହାପାପ ବର୍ତ୍ତାଇଅଛ?”
22ତହିଁରେ ହାରୋଣ କହିଲେ, “ଆମ୍ଭ ପ୍ରଭୁଙ୍କର କ୍ରୋଧ ପ୍ରଜ୍ୱଳିତ ନ ହେଉ; ଆପଣ ଜାଣନ୍ତି ଯେ, ଏହି ଲୋକମାନେ ଦୁଷ୍ଟତାରେ ଆସକ୍ତ।
23ଏମାନେ ମୋତେ କହିଲେ, ‘ଆମ୍ଭମାନଙ୍କର ଅଗ୍ରଗାମୀ ହେବା ପାଇଁ ଆମ୍ଭମାନଙ୍କ ନିମନ୍ତେ ଦେବତା ନିର୍ମାଣ କର; କାରଣ ଯେଉଁ ବ୍ୟକ୍ତି ଆମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ସେହି ମୋଶାଙ୍କର କଅଣ ହୋଇଅଛି, ତାହା ଆମ୍ଭେମାନେ ଜାଣୁ ନାହୁଁ।’
24ତେବେ ମୁଁ କହିଲି, ‘ତୁମ୍ଭମାନଙ୍କ ମଧ୍ୟରେ ଯାହାର ଯେକୌଣସି ସୁନା ଅଛି, ତାହା ସେମାନେ କାଢ଼ି ଦିଅନ୍ତୁ; ତହିଁରେ ସେମାନେ ମୋତେ ତାହା ଦେଲେ; ମୁଁ ତାହା ନେଇ ଅଗ୍ନିରେ ପକାଇଲି, ତହୁଁ ଏହି ବାଛୁରି ବାହାରି ଆସିଲା।’”
25ଆଉ ମୋଶା ଲୋକମାନଙ୍କୁ ସ୍ୱେଚ୍ଛାଚାରୀ ଦେଖିଲେ, କାରଣ ହାରୋଣ ସେମାନଙ୍କୁ ଶତ୍ରୁଗଣ ମଧ୍ୟରେ ହାସ୍ୟାସ୍ପଦ ହେବା ଭଳି ସ୍ୱେଚ୍ଛାଚାରୀ କରି ଛାଡ଼ିଥିଲେ।