10ଏଥିଉତ୍ତାରେ ମୋଶା ସଦାପ୍ରଭୁଙ୍କୁ କହିଲେ, “ହେ ପ୍ରଭୋ, ଏ ସମୟ ପୂର୍ବରେ, ଅବା ଆପଣ ନିଜ ଦାସ ସହିତ ଆଳାପ କଲା ଉତ୍ତାରେ ହେଁ ମୁଁ ବାକ୍ୟପତି ନୁହେଁ। ମୁଁ ବାକ୍ୟରେ ଧୀର ଓ ଜଡ଼ଜିହ୍ୱ ଅଟେ।”
11ତହିଁରେ ସଦାପ୍ରଭୁ ତାହାଙ୍କୁ କହିଲେ, “ମନୁଷ୍ୟର ମୁଖ କିଏ ନିର୍ମାଣ କରିଅଛନ୍ତି? ପୁଣି, ମନୁଷ୍ୟକୁ ମୂକ ବା ବଧିର ଅବା ଦୃଷ୍ଟିବିଶିଷ୍ଟ କିଅବା ଦୃଷ୍ଟିହୀନ କିଏ କରନ୍ତି? ଆମ୍ଭେ ସଦାପ୍ରଭୁ କି ତାହା ନ କରୁ?
12ଏଣୁ ଏବେ ଯାଅ, ଆମ୍ଭେ ତୁମ୍ଭ ମୁଖର ସହବର୍ତ୍ତୀ ହୋଇ ବକ୍ତବ୍ୟ କଥା ତୁମ୍ଭକୁ ଶିଖାଇବା।”
13ତହିଁରେ ସେ କହିଲେ, “ହେ ପ୍ରଭୋ, ମୁଁ ବିନୟ କରୁଅଛି, ଯାହା ଦ୍ୱାରା ପଠାଇବାର ହୁଏ, ତାହା ଦ୍ୱାରା ପଠାନ୍ତୁ।”
14ତହିଁରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା; ତେଣୁ ସେ କହିଲେ, “ଲେବୀୟ ହାରୋଣ କି ତୁମ୍ଭର ଭାଇ ନୁହେଁ? ଆମ୍ଭେ ଜାଣୁ, ସେ ସୁବକ୍ତା। ଆଉ ଦେଖ, ସେ ତୁମ୍ଭ ସଙ୍ଗରେ ସାକ୍ଷାତ କରିବାକୁ ଆସୁଅଛି; ପୁଣି, ତୁମ୍ଭକୁ ଦେଖି ହୃଷ୍ଟଚିତ୍ତ ହେବ।