22ପୁଣି, ପୃଥିବୀ ମଧ୍ୟରେ କେବଳ ଆମ୍ଭେ ସଦାପ୍ରଭୁ ଅଟୁ, ଏହା ତୁମ୍ଭକୁ ଜଣାଇବା ନିମନ୍ତେ ସେହି ଦିନ ଆମ୍ଭ ଲୋକମାନଙ୍କ ନିବାସ ସ୍ଥାନ ଗୋଶନ ପ୍ରଦେଶ ଭିନ୍ନ କରିବା; ସେଠାରେ ଦଂଶକାଦିର ଝିଙ୍କ ହେବ ନାହିଁ।
23ଆମ୍ଭେ ଆପଣା ଲୋକମାନଙ୍କ ଓ ତୁମ୍ଭ ଲୋକମାନଙ୍କ ମଧ୍ୟରେ ପ୍ରଭେଦ କରିବା; ଆସନ୍ତାକାଲି ଏହି ଚିହ୍ନ ହେବ।’”
24ଏଥିଉତ୍ତାରେ ସଦାପ୍ରଭୁ ସେହି ପ୍ରକାର କଲେ; ତହିଁରେ ଫାରୋଙ୍କର ଓ ତାଙ୍କ ଦାସମାନଙ୍କ ଗୃହରେ ଦଂଶକାଦିର ବୃହତ ଝିଙ୍କ ଉପସ୍ଥିତ ହେଲା; ପୁଣି, ସମୁଦାୟ ମିସର ଦେଶ ଦଂଶକାଦି ସକାଶୁ ନଷ୍ଟ ହେଲା।
25ସେତେବେଳେ ଫାରୋ ମୋଶା ଓ ହାରୋଣଙ୍କୁ ଡକାଇ କହିଲେ, “ତୁମ୍ଭେମାନେ ଯାଇ ଦେଶ ମଧ୍ୟରେ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କର।”
26ତହିଁରେ ମୋଶା କହିଲେ, “ତାହା କରିବା ଉପଯୁକ୍ତ ନୁହେଁ; କାରଣ ତାହା କଲେ, ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମିସରୀୟମାନଙ୍କର ଘୃଣାଜନକ ବଳିଦାନ କରିବାକୁ ହେବ; ଦେଖ, ମିସରୀୟମାନଙ୍କ ଚକ୍ଷୁଗୋଚରରେ ସେମାନଙ୍କର ଘୃଣାଜନକ ବଳିଦାନ କଲେ, ସେମାନେ କି ଆମ୍ଭମାନଙ୍କୁ ପଥର ପକାଇ ମାରିବେ ନାହିଁ?