52ତୁମ୍ଭେ ଆପଣା ଭଗିନୀଗଣର ପକ୍ଷରେ ବିଚାର ନିଷ୍ପତ୍ତି କରିବାରୁ ଆପଣା ଅପମାନ ଆପେ ଭୋଗ କର; ସେମାନଙ୍କ ଅପେକ୍ଷା ତୁମ୍ଭର କୃତ ଅଧିକ ଘୃଣାଯୋଗ୍ୟ ପାପସମୂହ ଦ୍ୱାରା ସେମାନେ ତୁମ୍ଭ ଅପେକ୍ଷା ଧାର୍ମିକ ହୋଇଅଛନ୍ତି; ହଁ, ତୁମ୍ଭେ ଆପଣା ଭଗିନୀଗଣକୁ ଧାର୍ମିକ କରିଅଛ, ଏଥିପାଇଁ ତୁମ୍ଭେ ମଧ୍ୟ ଲଜ୍ଜିତ ହୁଅ ଓ ଆପଣା ଅପମାନ ଭୋଗ କର।
53ପୁଣି, ଆମ୍ଭେ ସେମାନଙ୍କର ବନ୍ଦୀତ୍ୱାବସ୍ଥା, ଅର୍ଥାତ୍, ସଦୋମ ଓ ତାହାର କନ୍ୟାଗଣର ବନ୍ଦୀତ୍ୱାବସ୍ଥା, ଶମରୀୟା ଓ ତାହାର କନ୍ୟାଗଣର ବନ୍ଦୀତ୍ୱାବସ୍ଥା, ପୁଣି, ସେମାନଙ୍କ ମଧ୍ୟବର୍ତ୍ତୀ ତୁମ୍ଭର ବନ୍ଦୀଗଣର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା;
54ତହିଁରେ ତୁମ୍ଭେ ଆପଣା ଅପମାନ ଭୋଗ କରିବ ଓ ସେମାନଙ୍କ ପ୍ରତି ସାନ୍ତ୍ୱନା ସ୍ୱରୂପ ହୋଇ ଯାହା ଯାହା କରିଅଛ, ସେହି ସବୁ ସକାଶୁ ଲଜ୍ଜିତ ହେବ।
55ପୁଣି, ତୁମ୍ଭର ଭଗିନୀଗଣ, ଅର୍ଥାତ୍, ସଦୋମ ଓ ତାହାର କନ୍ୟାଗଣ ସେମାନଙ୍କର ପୂର୍ବ ଦଶା ପ୍ରାପ୍ତ ହେବେ, ଶମରୀୟା ଓ ତାହାର କନ୍ୟାଗଣ ସେମାନଙ୍କର ପୂର୍ବ ଦଶା ପ୍ରାପ୍ତ ହେବେ, ଆଉ ତୁମ୍ଭେ ଓ ତୁମ୍ଭର କନ୍ୟାଗଣ ତୁମ୍ଭମାନଙ୍କର ପୂର୍ବ ଦଶା ପ୍ରାପ୍ତ ହେବ।
56କାରଣ ତୁମ୍ଭର ଆତ୍ମପ୍ରଶଂସାର ସମୟରେ ତୁମ୍ଭେ ଆପଣା ଭଗିନୀ ସଦୋମର ନାମ ମୁଖରେ ଆଣି ନ ଥିଲ।