14ତଥାପି ଯେଉଁ ଗୋଷ୍ଠୀଗଣ ସାକ୍ଷାତରେ ଆମ୍ଭେ ସେମାନଙ୍କୁ ବାହାର କରି ଆଣିଲୁ, ସେମାନଙ୍କ ଦୃଷ୍ଟିରେ ଆମ୍ଭର ନାମ ଯେପରି ଅପବିତ୍ର ନ ହୁଏ, ଏଥିପାଇଁ ଆମ୍ଭେ ଆପଣା ନାମ ନିମନ୍ତେ କାର୍ଯ୍ୟ କଲୁ।
15ଆହୁରି ମଧ୍ୟ ସର୍ବ ଦେଶର ଗୌରବ ସ୍ୱରୂପ ଯେଉଁ ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶ ଆମ୍ଭେ ସେମାନଙ୍କୁ ଦେଇଥିଲୁ, ସେହି ଦେଶକୁ ସେମାନଙ୍କୁ ନ ଆଣିବା ପାଇଁ ଆମ୍ଭେ ପ୍ରାନ୍ତରରେ ସେମାନଙ୍କ ବିରୁଦ୍ଧରେ ଆପଣା ହସ୍ତ ଉଠାଇଲୁ;
16କାରଣ ସେମାନଙ୍କ ଅନ୍ତଃକରଣ ସେମାନଙ୍କ ପ୍ରତିମାଗଣର ଅନୁଗାମୀ ହେବାରୁ ସେମାନେ ଆମ୍ଭର ଶାସନସକଳ ଅଗ୍ରାହ୍ୟ କଲେ ଓ ଆମ୍ଭର ବିଧିରୂପ ପଥରେ ଚାଲିଲେ ନାହିଁ, ଆଉ ଆମ୍ଭ ବିଶ୍ରାମ ଦିନସକଳ ଅପବିତ୍ର କଲେ।
17ତଥାପି ସେମାନଙ୍କୁ ବିନାଶ କରିବା ପାଇଁ ଆମ୍ଭର ଲଜ୍ଜ୍ୟା ହେଲା, ଏଣୁ ଆମ୍ଭେ ପ୍ରାନ୍ତରରେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ସଂହାର କଲୁ ନାହିଁ।
18ପୁଣି, ଆମ୍ଭେ ପ୍ରାନ୍ତରରେ ସେମାନଙ୍କ ସନ୍ତାନଗଣକୁ କହିଲୁ, ତୁମ୍ଭେମାନେ ଆପଣାମାନଙ୍କର ପିତୃଗଣର ବିଧି ଅନୁସାରେ ଚାଲ ନାହିଁ କିଅବା ସେମାନଙ୍କର ଶାସନସକଳ ମାନ ନାହିଁ, ଅଥବା ସେମାନଙ୍କ ପ୍ରତିମାଗଣ ଦ୍ୱାରା ଆପଣାମାନଙ୍କୁ ଅଶୁଚି କର ନାହିଁ;