6ସେହି ଦିନ ସେମାନଙ୍କୁ ମିସର ଦେଶରୁ ବାହାର କରି ଆଣିବା ପାଇଁ ଓ ଆମ୍ଭେ ସେମାନଙ୍କ ନିମନ୍ତେ ଯେଉଁ ଦେଶ ଅନୁସନ୍ଧାନ କରିଥିଲୁ, ସର୍ବ ଦେଶର ଗୌରବ ସ୍ୱରୂପ ସେହି ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶକୁ ସେମାନଙ୍କୁ ନେଇଯିବା ପାଇଁ ଆମ୍ଭେ ସେମାନଙ୍କ ସପକ୍ଷରେ ଆପଣା ହସ୍ତ ଉଠାଇଲୁ;
7ଆଉ, ଆମ୍ଭେ ସେମାନଙ୍କୁ କହିଲୁ, ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଦୃଷ୍ଟିର ସମ୍ମୁଖରୁ ଘୃଣାଯୋଗ୍ୟ ବସ୍ତୁସକଳ ଦୂର କର ଓ ମିସରୀୟ ପ୍ରତିମାଗଣ ଦ୍ୱାରା ଆପଣାମାନଙ୍କୁ ଅଶୁଚି କର ନାହିଁ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
8ମାତ୍ର ସେମାନେ ଆମ୍ଭର ବିଦ୍ରୋହାଚାରୀ ହେଲେ ଓ ଆମ୍ଭର କଥା ଶୁଣିବାକୁ ଅସମ୍ମତ ହେଲେ; ସେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଦୃଷ୍ଟିର ସମ୍ମୁଖରୁ ଘୃଣାଯୋଗ୍ୟ ବସ୍ତୁସକଳ ଦୂର କଲେ ନାହିଁ, କିଅବା ମିସରୀୟ ପ୍ରତିମାଗଣକୁ ଛାଡ଼ିଲେ ନାହିଁ; ତହିଁରେ ଆମ୍ଭେ ମିସର ଦେଶ ମଧ୍ୟରେ ସେମାନଙ୍କ ପ୍ରତିକୂଳରେ ଆପଣା କ୍ରୋଧ ସାଧିବା ପାଇଁ ସେମାନଙ୍କ ଉପରେ ଆପଣା କୋପ ଢାଳିବା ବୋଲି କହିଲୁ।
9ତଥାପି ସେମାନେ ଯେଉଁମାନଙ୍କ ମଧ୍ୟରେ ଥିଲେ, ଯେଉଁମାନଙ୍କ ସାକ୍ଷାତରେ ଆମ୍ଭେ ସେମାନଙ୍କୁ, ମିସର ଦେଶରୁ ବାହାର କରି ଆଣିବା ଦ୍ୱାରା ଆପଣାର ପରିଚୟ ଦେଇଥିଲୁ, ସେହି ଗୋଷ୍ଠୀୟମାନଙ୍କ ସାକ୍ଷାତରେ ଆମ୍ଭର ନାମ ଯେପରି ଅପବିତ୍ର ନ ହୁଏ, ଏଥିପାଇଁ ଆମ୍ଭେ ଆପଣା ନାମ ନିମନ୍ତେ କାର୍ଯ୍ୟ କଲୁ।
10ଏହିରୂପେ ଆମ୍ଭେ ସେମାନଙ୍କୁ ମିସର ଦେଶରୁ ବାହାର କରାଇ ପ୍ରାନ୍ତରକୁ ଆଣିଲୁ।