22ଏନିମନ୍ତେ ହେ ଅହଲୀବା, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଯେଉଁମାନଙ୍କଠାରୁ ତୁମ୍ଭର ପ୍ରାଣ ବିମୁଖ ହୋଇଅଛି, ତୁମ୍ଭର ସେହି ପ୍ରେମିକମାନଙ୍କୁ ଆମ୍ଭେ ତୁମ୍ଭ ବିରୁଦ୍ଧରେ ଉଠାଇବା ଓ ଚତୁର୍ଦ୍ଦିଗରୁ ସେମାନଙ୍କୁ ତୁମ୍ଭ ବିରୁଦ୍ଧରେ ଆଣିବା;
23ବାବିଲୀୟମାନଙ୍କୁ ଓ ସମୁଦାୟ କଲ୍ଦୀୟ ଲୋକଙ୍କୁ, ପକୋଦ, ଶୋୟା, କୋୟା ଓ ସେମାନଙ୍କ ସଙ୍ଗେ ସମୁଦାୟ ଅଶୂରୀୟ ଲୋକଙ୍କୁ ଆଣିବା; ସେମାନେ ସମସ୍ତେ ମନୋହର ଯୁବା ଲୋକ। ଦେଶାଧ୍ୟକ୍ଷ ଓ ଶାସନକର୍ତ୍ତା, ଅଧିପତିଗଣ ଓ ବିଖ୍ୟାତ ଲୋକ, ସମସ୍ତେ ଅଶ୍ୱାରୋହୀ।
24ପୁଣି, ସେମାନେ ଅସ୍ତ୍ରଶସ୍ତ୍ର, ରଥ, ଶକଟ ଓ ଗୋଷ୍ଠୀଗଣର ସମାଜ ନେଇ ତୁମ୍ଭ ବିରୁଦ୍ଧରେ ଆସିବେ; ସେମାନେ ସାନ ଓ ବଡ଼ ଢାଲ ଓ ଟୋପର ଧରି ତୁମ୍ଭ ବିରୁଦ୍ଧରେ ଚତୁର୍ଦ୍ଦିଗରେ ଆପଣାମାନଙ୍କୁ ସଜାଇବେ; ଆଉ, ଆମ୍ଭେ ସେମାନଙ୍କ ହସ୍ତରେ ବିଚାରର ଭାର ସମର୍ପଣ କରିବା ଓ ସେମାନେ ଆପଣାମାନଙ୍କର ବିଚାରାନୁସାରେ ତୁମ୍ଭର ବିଚାର କରିବେ।
25ପୁଣି, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆମ୍ଭର ଅନ୍ତର୍ଜ୍ୱାଳା ରଖିବା, ତହିଁରେ ସେମାନେ କୋପରେ ତୁମ୍ଭ ପ୍ରତି ବ୍ୟବହାର କରିବେ; ସେମାନେ ତୁମ୍ଭର ନାସିକା ଓ କର୍ଣ୍ଣ କାଟି ପକାଇବେ ଓ ତୁମ୍ଭର ଅବଶିଷ୍ଟ ଲୋକମାନେ ଖଡ୍ଗରେ ପତିତ ହେବେ; ସେମାନେ ତୁମ୍ଭର ପୁତ୍ରକନ୍ୟାଗଣକୁ ନେଇଯିବେ ଓ ତୁମ୍ଭର ଅବଶିଷ୍ଟ ଲୋକମାନେ ଅଗ୍ନି ଦ୍ୱାରା ଗ୍ରାସିତ ହେବେ।
26ସେମାନେ ମଧ୍ୟ ତୁମ୍ଭକୁ ବିବସ୍ତ୍ରା କରିବେ ଓ ତୁମ୍ଭର ସୁନ୍ଦର ଅଳଙ୍କାରସବୁ ନେଇଯିବେ।