11ସେ ଆପଣା ଅଶ୍ୱଗଣର ଖୁରାରେ ତୁମ୍ଭର ସଡ଼କସବୁ ଦଳି ପକାଇବ; ସେ ତୁମ୍ଭ ଲୋକମାନଙ୍କୁ ଖଡ୍ଗରେ ବଧ କରିବ ଓ ତୁମ୍ଭର ପରାକ୍ରମସୂଚକ ସ୍ତମ୍ଭସକଳ ଭୂମିସାତ୍ କରିବ।
12ପୁଣି, ସେମାନେ ତୁମ୍ଭ ସମ୍ପତ୍ତିସବୁ ଲୁଟି ନେବେ ଓ ତୁମ୍ଭର ବାଣିଜ୍ୟ ଦ୍ରବ୍ୟ ହରଣ କରିବେ; ଆଉ, ସେମାନେ ତୁମ୍ଭର ପ୍ରାଚୀର ଭାଙ୍ଗି ପକାଇବେ ଓ ତୁମ୍ଭର ମନୋରମ ଗୃହସବୁ ଧ୍ୱଂସ କରିବେ; ଆଉ, ସେମାନେ ତୁମ୍ଭର ପ୍ରସ୍ତର, କାଷ୍ଠ ଓ ଧୂଳିସବୁ ଜଳରେ ନିକ୍ଷେପ କରିବେ।
13ପୁଣି, ଆମ୍ଭେ ତୁମ୍ଭର ଗାୟନ ଶବ୍ଦ ନିବୃତ୍ତ କରାଇବା ଓ ତୁମ୍ଭ ବୀଣାର ଧ୍ୱନି ଆଉ ଶୁଣାଯିବ ନାହିଁ।
14ପୁଣି, ଆମ୍ଭେ ତୁମ୍ଭକୁ ଶୁଷ୍କ ଶୈଳ କରିବା; ତୁମ୍ଭେ ଜାଲ ପ୍ରସାରିବାର ସ୍ଥାନ ହେବ; ତୁମ୍ଭେ ଆଉ ନିର୍ମିତ ନୋହିବ କାରଣ ଆମ୍ଭେ ସଦାପ୍ରଭୁ ଏହା କହିଅଛୁ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
15ପ୍ରଭୁ, ସଦାପ୍ରଭୁ ସୋରକୁ ଏହି କଥା କହନ୍ତି; ଯେତେବେଳେ ତୁମ୍ଭ ମଧ୍ୟରେ ଆହତ ଲୋକମାନେ କାତରୋକ୍ତି କରିବେ ଓ ସଂହାର ହେବ, ତୁମ୍ଭର ସେହି ପତନ ସମୟର ଶବ୍ଦରେ କିମ୍ବା ଦ୍ୱୀପସମୂହ କମ୍ପିବେ ନାହିଁ?