17ଓନ୍ ଓ ପୀବେଶହର ଯୁବାମାନେ ଖଡ୍ଗରେ ପତିତ ହେବେ ଓ ନଗରସବୁ ବନ୍ଦୀତ୍ୱ ସ୍ଥାନକୁ ଯିବେ।
18ଆମ୍ଭେ ଯେତେବେଳେ ତଫନ୍ହେଷରେ ମିସରର ଯୁଆଳିସବୁ ଭାଙ୍ଗିବା ଓ ତାହାର ପରାକ୍ରମର ଦର୍ପ ତାହା ମଧ୍ୟରେ ଶେଷ ହେବ, ସେତେବେଳେ ସେଠାରେ ଦିବସ ଆପେ ଅପସରି ଯିବ; ଆଉ, ସେ ନିଜେ ମେଘାଚ୍ଛନ୍ନ ହେବ ଓ ତାହାର କନ୍ୟାଗଣ ବନ୍ଦୀତ୍ୱ ସ୍ଥାନକୁ ଯିବେ।
19ଏହିରୂପେ ଆମ୍ଭେ ମିସରରେ ଦଣ୍ଡାଜ୍ଞା ସଫଳ କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।”
20ଏଥିଉତ୍ତାରେ ଏକାଦଶ ବର୍ଷର ପ୍ରଥମ ମାସ, ମାସର ସପ୍ତମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
21“ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ମିସରର ରାଜା ଫାରୋର ବାହୁ ଭାଙ୍ଗିଅଛୁ; ଆଉ ଦେଖ, ଖଡ୍ଗ ଧରିବା ନିମନ୍ତେ ତାହା ଯେପରି ସବଳ ହେବ, ଏଥିପାଇଁ ସ୍ୱାସ୍ଥ୍ୟଜନକ ଔଷଧ ଦେଇ ପଟି ଲଗାଇ ତାହା ବନ୍ଧାଯାଇ ନାହିଁ।