7ଏଥିରେ ମୋତେ ଯେପରି ଆଜ୍ଞା ଦିଆଯାଇଥିଲା, ତଦନୁସାରେ ମୁଁ ଭବିଷ୍ୟଦ୍ବାକ୍ୟ ପ୍ରଚାର କଲି; ପୁଣି, ମୁଁ ପ୍ରଚାର କରୁ କରୁ ଏକ ଶବ୍ଦ ହେଲା ଓ ଦେଖ, ଭୂମିକମ୍ପ ହେଲା, ଆଉ ଅସ୍ଥିସକଳ ଏକତ୍ର ହୋଇ ପ୍ରତ୍ୟେକ ଅସ୍ଥି ଆପଣା ଅସ୍ଥିରେ ସଂଯୁକ୍ତ ହେଲା।
8ତହିଁରେ ମୁଁ ନିରୀକ୍ଷଣ କଲି, ଆଉ ଦେଖ, ସେହି ସବୁ ଅସ୍ଥି ଉପରେ ପେଶୀରଜ୍ଜୁ ହେଲା ଓ ମାଂସ ଉତ୍ପନ୍ନ ହେଲା, ପୁଣି, ଚର୍ମ ସେହି ସବୁକୁ ଆଚ୍ଛାଦନ କଲା; ମାତ୍ର ସେହି ସବୁର ମଧ୍ୟରେ ପ୍ରାଣବାୟୁ ନ ଥିଲା।
9ତହିଁରେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ବାୟୁ ଉଦ୍ଦେଶ୍ୟରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କର, ଭବିଷ୍ୟଦ୍ବାକ୍ୟ ପ୍ରଚାର କର ଓ ବାୟୁକୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ହେ ପ୍ରାଣବାୟୁ, ଚତୁର୍ଦ୍ଦିଗରୁ ଆସ ଓ ଏହି ହତ ଲୋକମାନେ ଯେପରି ଜୀବିତ ହେବେ, ଏଥିପାଇଁ ସେମାନଙ୍କ ଉପରେ ବହ।”
10ତହୁଁ ସେ ମୋତେ ଯେପରି ଆଜ୍ଞା କଲେ, ତଦନୁସାରେ ମୁଁ ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତେ, ପ୍ରାଣବାୟୁ ସେମାନଙ୍କ ମଧ୍ୟକୁ ଆସିଲା, ଆଉ ସେମାନେ ଜୀବିତ ହେଲେ ଓ ଅତିଶୟ ମହାନ ସୈନ୍ୟବାହିନୀ ହୋଇ ଆପଣା ଆପଣା ଚରଣରେ ଠିଆ ହେଲେ।
11ତେବେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଏହି ଅସ୍ଥିସକଳ ସମୁଦାୟ ଇସ୍ରାଏଲ ବଂଶ ଅଟନ୍ତି; ଦେଖ, ସେମାନେ କହନ୍ତି, ଆମ୍ଭମାନଙ୍କର ଅସ୍ଥିସବୁ ଶୁଷ୍କ ହୋଇଅଛି, ଆମ୍ଭମାନଙ୍କର ଭରସା ନଷ୍ଟ ହୋଇଅଛି; ଆମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ଉଚ୍ଛିନ୍ନ ହୋଇଅଛୁ।