12ମହାରାଜଙ୍କ ନିକଟରେ ଜଣାଣ ଏହି ଯେ, ଆପଣଙ୍କ ନିକଟରୁ ଆଗତ ଯିହୁଦୀୟ ଲୋକମାନେ ଯିରୂଶାଲମକୁ ଆମ୍ଭମାନଙ୍କ ନିକଟକୁ ଆସିଅଛନ୍ତି; ସେମାନେ ସେହି ବିଦ୍ରୋହୀ ଦୁଷ୍ଟ ନଗର ନିର୍ମାଣ କରୁଅଛନ୍ତି ଓ ପ୍ରାଚୀର ସମାପ୍ତ କରି ଭିତ୍ତିମୂଳର ଜୀର୍ଣ୍ଣସଂସ୍କାର କରିଅଛନ୍ତି।
13ମହାରାଜଙ୍କ ନିକଟରେ ଜଣାଣ ଏହି ଯେ, ଯେବେ ଏହି ନଗର ନିର୍ମିତ ଓ ପ୍ରାଚୀର କାର୍ଯ୍ୟ ସମାପ୍ତ ହେବ, ତେବେ ସେହି ଲୋକମାନେ କର, ରାଜସ୍ୱ ବା ଶୁଳ୍କ ଦେବେ ନାହିଁ, ପୁଣି ଶେଷରେ ତାହା ରାଜାଗଣର କ୍ଷତିକର ହେବ।
14ଆମ୍ଭେମାନେ ରାଜଗୃହର ଲବଣ ଖାଉ ଓ ମହାରାଜଙ୍କର ଅପମାନ ଦେଖିବା ଆମ୍ଭମାନଙ୍କର ଉଚିତ ନୁହେଁ, ଏହେତୁ ଲୋକ ପଠାଇ ମହାରାଜଙ୍କୁ ଏହା ଜଣାଇଲୁ।
15ଆପଣଙ୍କ ପୂର୍ବପୁରୁଷଗଣର ଇତିହାସ-ପୁସ୍ତକ ଅନୁସନ୍ଧାନ କରାଯାଉ; ତେବେ ସେହି ଇତିହାସ ପୁସ୍ତକରେ ଆପଣ ଦେଖିବେ ଓ ଜାଣିବେ ଯେ, ଏହି ନଗର ବିଦ୍ରୋହୀ ନଗର, ଆଉ ରାଜାଗଣ ଓ ପ୍ରଦେଶସମୂହ ପ୍ରତି ଅନିଷ୍ଟକର, ପୁଣି ସେମାନେ ପୂର୍ବକାଳରେ ତହିଁ ମଧ୍ୟରେ ଗଣ୍ଡଗୋଳ ଘଟାଇଅଛନ୍ତି। ତହିଁ ସକାଶୁ ଏହି ନଗର ବିନଷ୍ଟ ହୋଇଅଛି।
16ଆମ୍ଭେମାନେ ମହାରାଜଙ୍କୁ ଜଣାଉଅଛୁ ଯେ, ଏହି ନଗର ନିର୍ମିତ ଓ ଏହି ପ୍ରାଚୀର କାର୍ଯ୍ୟ ସମାପ୍ତ ହେଲେ, ତଦ୍ଦ୍ୱାରା ନଦୀ ସେପାରିରେ ଆପଣଙ୍କର କୌଣସି ଅଂଶ ରହିବ ନାହିଁ।”