10ମାତ୍ର ସେହି ଦୁଇ ଜଣ ହସ୍ତ ବଢ଼ାଇ ଲୋଟକୁ ଗୃହ ମଧ୍ୟରେ ଆପଣାମାନଙ୍କ ନିକଟକୁ ଟାଣି ନେଇ ଦ୍ୱାର ବନ୍ଦ କଲେ।
11ପୁଣି, ଦ୍ୱାର ନିକଟବର୍ତ୍ତୀ ସାନ ଓ ବଡ଼ ସମସ୍ତଙ୍କୁ ଅନ୍ଧ କରାଇଲେ; ତହିଁରେ ସେମାନେ ଦ୍ୱାର ଖୋଜୁ ଖୋଜୁ ପରିଶ୍ରାନ୍ତ ହେଲେ।
12ଏଥିଉତ୍ତାରେ ସେହି ବ୍ୟକ୍ତିମାନେ ଲୋଟକୁ କହିଲେ, “ଏହି ସ୍ଥାନରେ ତୁମ୍ଭର ଆଉ କିଏ କିଏ ଅଛନ୍ତି? ଜୁଆଁଇ ଓ ତୁମ୍ଭର ପୁତ୍ରକନ୍ୟାଦି ଯେତେ ଲୋକ ଏହି ନଗରରେ ଅଛନ୍ତି, ସେ ସମସ୍ତଙ୍କୁ ଏହି ସ୍ଥାନରୁ ନେଇଯାଅ;
13ଯେହେତୁ ଆମ୍ଭେମାନେ ଏହି ସ୍ଥାନ ଉଚ୍ଛିନ୍ନ କରିବା। ସଦାପ୍ରଭୁଙ୍କ ଛାମୁରେ ଏହି ନଗର ବିରୁଦ୍ଧରେ ମହାକ୍ରନ୍ଦନ ଉଠିଅଛି, ଏଣୁ ସଦାପ୍ରଭୁ ଏହି ନଗର ଉଚ୍ଛିନ୍ନ କରିବା ପାଇଁ ଆମ୍ଭମାନଙ୍କୁ ପଠାଇଅଛନ୍ତି।”
14ତହୁଁ ଲୋଟ ବାହାରକୁ ଯାଇ ଆପଣା କନ୍ୟାମାନଙ୍କ ସହିତ ବିବାହ କରିବାକୁ ଉଦ୍ୟତ ଜୁଆଁଇମାନଙ୍କୁ କହିଲା, “ଉଠ, ଏଠାରୁ ବାହାର ହୁଅ, ସଦାପ୍ରଭୁ ଏହି ନଗର ଉଚ୍ଛିନ୍ନ କରିବେ,” ମାତ୍ର ଜୁଆଁଇମାନେ ତାହାକୁ ପରିହାସକ ପରି ମଣିଲେ।