1ଏଥିଉତ୍ତାରେ ସନ୍ଧ୍ୟା ବେଳେ ସେହି ଦୁଇ ସ୍ୱର୍ଗଦୂତ ସଦୋମରେ ଉପସ୍ଥିତ ହେଲେ; ସେତେବେଳେ ଲୋଟ ସଦୋମ ନଗରର ଦ୍ୱାରରେ ଉପବିଷ୍ଟ ଥିବାରୁ ସେମାନଙ୍କୁ ଦେଖି ସେମାନଙ୍କ ସହିତ ସାକ୍ଷାତ କରିବାକୁ ଉଠିଲା, ପୁଣି, ଭୂମିଷ୍ଠ ପ୍ରଣାମ କରି କହିଲା
2“ହେ ମୋହର ପ୍ରଭୁମାନେ, ମୁଁ ବିନୟ କରୁଅଛି, ଆଜି ରାତ୍ର ଆପଣମାନଙ୍କ ଏହି ଦାସର ଗୃହରେ ପଦାର୍ପଣ କରି ବାସ କରନ୍ତୁ ଓ ପାଦ ପ୍ରକ୍ଷାଳନ କରନ୍ତୁ; ତହୁଁ ସକାଳୁ ଉଠି ଯାତ୍ରା କରିବେ।” ତହିଁରେ ସେମାନେ କହିଲେ, “ନା; ଆମ୍ଭେମାନେ ଦାଣ୍ଡରେ ସମସ୍ତ ରାତ୍ରି କ୍ଷେପଣ କରିବୁ।”
3ମାତ୍ର ଲୋଟ ଅତିଶୟ ବଳାଇବାରୁ ସେମାନେ ତାହା ସହିତ ଯାଇ ତାହାର ଘରେ ପ୍ରବେଶ କଲେ; ତହୁଁ ସେ ସେମାନଙ୍କର ପାଇଁ ତାଡ଼ିଶୂନ୍ୟ ରୁଟି ଆଦି ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କରନ୍ତେ, ସେମାନେ ଭୋଜନ କଲେ।
4ମାତ୍ର ସେମାନେ ଶୟନ କରିବା ପୂର୍ବେ ସେହି ନଗରର ଲୋକମାନେ, ଅର୍ଥାତ୍, ସଦୋମର ଯୁବାବୃଦ୍ଧାଦି ସମସ୍ତ ଲୋକ ଚାରିଆଡ଼ୁ ଆସି ତାହାର ଘର ଘେରିଲେ।
5ପୁଣି, ଲୋଟକୁ ଡାକି କହିଲେ, “ଆଜି ରାତ୍ରିରେ ଯେଉଁ ମନୁଷ୍ୟମାନେ ତୁମ୍ଭ ଘରକୁ ଆସିଲେ, ସେମାନେ କାହାନ୍ତି? ସେମାନଙ୍କୁ ବାହାର କରି ଆମ୍ଭମାନଙ୍କ ପାଖକୁ ଆଣ। ଆମ୍ଭେମାନେ ସେମାନଙ୍କଠାରେ ଉପଗତ ହେବା।”