34ଏଷୌ ପିତାଙ୍କର ଏହି କଥା ଶୁଣିବାମାତ୍ରେ ଅତ୍ୟନ୍ତ ବ୍ୟାକୁଳ ଚିତ୍ତରେ ମହାଚିତ୍କାର କଲା, ପୁଣି, ଆପଣା ପିତାଙ୍କୁ କହିଲା, “ପିତଃ, ମୋତେ, ମୋତେ ମଧ୍ୟ ଆଶୀର୍ବାଦ କରନ୍ତୁ।”
35ତହିଁରେ ଇସ୍ହାକ କହିଲେ, “ତୁମ୍ଭର ଭ୍ରାତା ଆସି ପ୍ରବଞ୍ଚନା କରି ତୁମ୍ଭର (ପ୍ରାପ୍ତବ୍ୟ) ଆଶୀର୍ବାଦ ହରଣ କରିଅଛି।”
36ତହିଁରେ ଏଷୌ କହିଲା, “ତାହାର ଯଥାର୍ଥ ନାମ କି ଯାକୁବ ନୁହେଁ? ଯେହେତୁ ସେ ଦୁଇ ଥର ମୋତେ ପ୍ରବଞ୍ଚନା କରିଅଛି, ସେ ପୂର୍ବରେ ମୋର ଜ୍ୟେଷ୍ଠାଧିକାର ହରଣ କରିଥିଲା, ପୁଣି, ଦେଖ, ଏବେ ମୋର (ପ୍ରାପ୍ତବ୍ୟ) ଆଶୀର୍ବାଦ ମଧ୍ୟ ହରଣ କରିଅଛି।” ସେ ପୁନର୍ବାର କହିଲା, “ଆପଣ କି ମୋʼ ନିମନ୍ତେ ଗୋଟିଏ ଆଶୀର୍ବାଦ ରଖି ନାହାନ୍ତି?”
37ତହୁଁ ଇସ୍ହାକ ଏଷୌକୁ କହିଲେ, “ଦେଖ, ମୁଁ ତାହାକୁ ତୁମ୍ଭର କର୍ତ୍ତା କଲି, ପୁଣି, ତାହାର ଜ୍ଞାତି ସମସ୍ତଙ୍କୁ ତାହାର ଅଧୀନ କଲି, ଆଉ ଶସ୍ୟ ଓ ଦ୍ରାକ୍ଷାରସ ଦ୍ୱାରା ତାହାକୁ ସବଳ କଲି; ଏହେତୁ ପୁତ୍ର, ଏବେ ତୁମ୍ଭ ନିମନ୍ତେ ଆଉ କଅଣ କରିପାରେ?”
38ତହିଁରେ ଏଷୌ ପୁନର୍ବାର ଆପଣା ପିତାଙ୍କୁ କହିଲା, “ପିତଃ, ଆପଣଙ୍କର କି କେବଳ ଗୋଟିଏ ଆଶୀର୍ବାଦ ଥିଲା? ହେ ପିତଃ, ମୋତେ, ମୋତେ ମଧ୍ୟ ଆଶୀର୍ବାଦ କରନ୍ତୁ।” ଏହା କହି ଏଷୌ ଉଚ୍ଚସ୍ୱରରେ କାନ୍ଦିବାକୁ ଲାଗିଲା।