24ସେତେବେଳେ ଯାକୁବ ସେଠାରେ ଏକାକୀ ରହିଲା; ତହୁଁ ଜଣେ ପୁରୁଷ ପ୍ରଭାତ ପର୍ଯ୍ୟନ୍ତ ତାହା ସହିତ ମଲ୍ଲଯୁଦ୍ଧ କଲେ।
25ମାତ୍ର ତାହାକୁ ଜୟ କରି ପାରିଲେ ନାହିଁ ଦେଖି ସେ ଯାକୁବର ଊରୁଦେଶର ସନ୍ଧି ସ୍ଥାନରେ ଆଘାତ କଲେ; ତାହାଙ୍କ ସହିତ ଏପ୍ରକାର ମଲ୍ଲଯୁଦ୍ଧ କରିବାରୁ ଯାକୁବର ଊରୁସନ୍ଧି ଖସିଗଲା।
26ଏଥିଉତ୍ତାରେ ସେହି ପୁରୁଷ କହିଲେ, “ଆମ୍ଭକୁ ଛାଡ଼, କାରଣ ପ୍ରଭାତ ହେଲା।” ତହୁଁ ଯାକୁବ କହିଲା, “ତୁମ୍ଭେ ମୋତେ ଆଶୀର୍ବାଦ ନ କଲେ, ମୁଁ ତୁମ୍ଭଙ୍କୁ ଛାଡ଼ିବି ନାହିଁ।”
27ପୁନର୍ବାର ସେହି ମନୁଷ୍ୟ କହିଲେ, “ତୁମ୍ଭର ନାମ କଅଣ?” ସେ କହିଲା, “ଯାକୁବ।”
28ସେ କହିଲେ, “ତୁମ୍ଭେ ଯାକୁବ ନାମରେ ଆଉ ବିଖ୍ୟାତ ହେବ ନାହିଁ, ମାତ୍ର ଇସ୍ରାଏଲ ନାମରେ ବିଖ୍ୟାତ ହେବ; କାରଣ, ତୁମ୍ଭେ ପରମେଶ୍ୱର ଓ ମନୁଷ୍ୟ ସହିତ ଯୁଦ୍ଧ କରି ଜୟୀ ହୋଇଅଛ।”