4ଏଣୁ ଯୋଷେଫ ତାହାର ଦୃଷ୍ଟିରେ ଅନୁଗ୍ରହ ପାଇ ତାହାର ସେବାରେ ନିଯୁକ୍ତ ହେଲେ, ପୁଣି, ସେ ଯୋଷେଫଙ୍କୁ ଆପଣାର ଗୃହାଧ୍ୟକ୍ଷ କରି ତାଙ୍କର ହସ୍ତରେ ସର୍ବସ୍ୱ ସମର୍ପଣ କଲା।
5ଏହି ପ୍ରକାରେ ସେ ଯୋଷେଫଙ୍କୁ ଆପଣା ଗୃହ ଓ ସର୍ବସ୍ୱର ଅଧ୍ୟକ୍ଷ କରିବା ଦିନଠାରୁ ସଦାପ୍ରଭୁ ଯୋଷେଫଙ୍କ ଲାଗି ସେହି ମିସରୀୟ ଲୋକର ଗୃହ ଉପରେ ଆଶୀର୍ବାଦ କଲେ; ପୁଣି, ଗୃହ ଓ କ୍ଷେତ୍ରସ୍ଥିତ ସମସ୍ତ ସମ୍ପଦ ପ୍ରତି ସଦାପ୍ରଭୁଙ୍କର ଆଶୀର୍ବାଦ ବର୍ତ୍ତିଲା।
6ଏହେତୁ ସେ ଯୋଷେଫଙ୍କ ହସ୍ତରେ ଆପଣା ସର୍ବସ୍ୱର ଏରୂପ ଭାର ଦେଲା, ଯେ ଆପଣା ଭୋଜନ ବିନୁ ଆଉ କୌଣସି ବିଷୟର ତତ୍ତ୍ୱ ନେଲା ନାହିଁ। ଯୋଷେଫ ରୂପରେ ଓ ସୌନ୍ଦର୍ଯ୍ୟରେ ମନୋହର ଥିଲେ।
7ଆଉ ଉକ୍ତ ଘଟଣା ଉତ୍ତାରେ ତାଙ୍କର ପ୍ରଭୁର ଭାର୍ଯ୍ୟା ଯୋଷେଫଙ୍କ ଉପରେ ଦୃଷ୍ଟି ପକାଇବାକୁ ଲାଗିଲା; ତହୁଁ ତାଙ୍କୁ କହିଲା, “ତୁମ୍ଭେ ମୋʼ ସଙ୍ଗେ ଶୟନ କର।”
8ମାତ୍ର ଯୋଷେଫ ଅସ୍ୱୀକାର କରି ଆପଣା ପ୍ରଭୁର ଭାର୍ଯ୍ୟାକୁ କହିଲେ, “ଦେଖ, ଏ ଗୃହରେ ଯାହା ଅଛି ମୋʼ ପ୍ରଭୁ ତହିଁର ତତ୍ତ୍ୱ ନିଅନ୍ତି ନାହିଁ, ସେ ମୋʼ ହସ୍ତରେ ଆପଣାର ସର୍ବସ୍ୱ ସମର୍ପଣ କରିଅଛନ୍ତି।