18ତହିଁରେ ଯିହୁଦା ନିକଟକୁ ଯାଇ କହିଲା, “ପ୍ରଭୋ, ଆପଣଙ୍କ ଏହି ଦାସକୁ ପ୍ରଭୁଙ୍କ କର୍ଣ୍ଣଗୋଚରରେ ପଦେ ନିବେଦନ କରିବାକୁ ଅନୁମତି ଦେଉନ୍ତୁ ଓ ଆପଣା ଦାସ ପ୍ରତି ଆପଣଙ୍କ କ୍ରୋଧ ପ୍ରଜ୍ୱଳିତ ନ ହେଉ; କାରଣ ଆପଣ ଫାରୋଙ୍କ ତୁଲ୍ୟ ଅଟନ୍ତି।
19ପ୍ରଭୁ ଆପଣା ଦାସମାନଙ୍କୁ ପଚାରିଥିଲେ, ‘ତୁମ୍ଭମାନଙ୍କର ପିତା କିଅବା ଭାଇ ଅଛନ୍ତି କି?’
20ତହିଁରେ ଆମ୍ଭେମାନେ ପ୍ରଭୁଙ୍କୁ ଉତ୍ତର ଦେଇଥିଲୁ, ‘ଆମ୍ଭମାନଙ୍କ ପିତା ଅଛନ୍ତି, ସେ ବୃଦ୍ଧ ଲୋକ; ପୁଣି, ତାଙ୍କ ବୃଦ୍ଧାବସ୍ଥାର ଗୋଟିଏ ପୁତ୍ର ଅଛି, ସେହି ଜଣକ କନିଷ୍ଠ; ମାତ୍ର ତାହାର ସହୋଦର ମରିଅଛି, ସେହି କେବଳ ତାହାର ମାତାର ଅବଶିଷ୍ଟ ପୁତ୍ର; ଏଣୁ ତାହାର ପିତା ତାହାକୁ ସ୍ନେହ କରନ୍ତି।’
21ଏଥିରେ ଆପଣ ଏହି ଦାସମାନଙ୍କୁ କହିଥିଲେ, ‘ତୁମ୍ଭେମାନେ ତାକୁ ଆମ୍ଭ କତିକି ଆଣ, ଆମ୍ଭେ ତାକୁ ସ୍ୱଚକ୍ଷୁରେ ଦେଖିବା।’
22ତେବେ ଆମ୍ଭେମାନେ ପ୍ରଭୁଙ୍କୁ କହିଥିଲୁ, ‘ସେ ଯୁବା ପିତାଙ୍କୁ ଛାଡ଼ି ପାରିବ ନାହିଁ; ସେ ତାହାର ପିତାଙ୍କୁ ଛାଡ଼ି ଆସିଲେ, ପିତା ମରିଯିବେ।’