18ପୁଣି, ସେ ବର୍ଷ ସମ୍ପୂର୍ଣ୍ଣ ହୁଅନ୍ତେ, ଦ୍ୱିତୀୟ ବର୍ଷରେ ସେମାନେ ଯୋଷେଫଙ୍କ ନିକଟକୁ ଆସି କହିଲେ, “ଆମ୍ଭମାନଙ୍କର ସମସ୍ତ ରୂପା ଶେଷ ହୋଇଅଛି; ତାହା ପ୍ରଭୁଙ୍କଠାରୁ ଲୁଚାଇବା ନାହିଁ; ପୁଣି, ଆମ୍ଭମାନଙ୍କର ସମସ୍ତ ପଶୁଧନ ମଧ୍ୟ ପ୍ରଭୁଙ୍କର ହୋଇଅଛି; ଏବେ ପ୍ରଭୁଙ୍କ ସାକ୍ଷାତରେ ଆମ୍ଭମାନଙ୍କର ଦେହ ଓ ଭୂମି ବିନା ଆଉ କିଛି ଅବଶିଷ୍ଟ ନାହିଁ।
19ଏଥିପାଇଁ ଆମ୍ଭେମାନେ ଓ ଆମ୍ଭମାନଙ୍କର ଭୂମି ଦୁହେଁ କାହିଁକି ଆପଣଙ୍କ ଦୃଷ୍ଟିଗୋଚରରେ ମରିବୁ? ଆପଣ ଭକ୍ଷ୍ୟ ଦେଇ ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ଭୂମି କିଣି ନେଉନ୍ତୁ, ତହିଁରେ ଆମ୍ଭେମାନେ ଓ ଆମ୍ଭମାନଙ୍କ ଭୂମି ଫାରୋଙ୍କର ଦାସ ହେବୁ; ତାʼପରେ ଆମ୍ଭମାନଙ୍କୁ ବିହନ ଦେଉନ୍ତୁ, ତହିଁରେ ବଞ୍ଚିବୁ; ନୋହିଲେ ଆମ୍ଭେମାନେ ମରିଯିବୁ, ପୁଣି, ଭୂମି ମଧ୍ୟ ବିନଷ୍ଟ ହେବ।”
20ଏହିରୂପେ ଦୁର୍ଭିକ୍ଷ ସେମାନଙ୍କ ପ୍ରତି ଅତି ଅସହ୍ୟ ହୁଅନ୍ତେ, ମିସରୀୟମାନେ ପ୍ରତ୍ୟେକେ ଆପଣା ଆପଣା ଭୂମି ବିକ୍ରୟ କଲେ; ତହିଁରେ ଯୋଷେଫ ଫାରୋଙ୍କ ନିମନ୍ତେ ମିସର ଦେଶର ସମସ୍ତ ଭୂମି କ୍ରୟ କଲେ; ତେଣୁ ସମସ୍ତ ଭୂମି ଫାରୋଙ୍କର ହେଲା।
21ତହିଁରେ ସେ ମିସରର ଏକ ସୀମାଠାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ନଗରେ ନଗରେ ପ୍ରଜାମାନଙ୍କୁ ପ୍ରବାସ କରାଇଲେ।
22ସେ କେବଳ ଯାଜକମାନଙ୍କର ଭୂମି କ୍ରୟ କଲେ ନାହିଁ; କାରଣ ଯାଜକମାନେ ଫାରୋଙ୍କଠାରୁ ବୃତ୍ତି ପାଇଲେ; ଏଣୁ ଫାରୋଙ୍କର ଦତ୍ତ ବୃତ୍ତି ଦ୍ୱାରା ସେମାନଙ୍କର ନିର୍ବାହ ହେବାରୁ ସେମାନେ ଆପଣା ଆପଣା ଭୂମି ବିକ୍ରୟ କଲେ ନାହିଁ।