8ଏଥିଉତ୍ତାରେ ଇସ୍ରାଏଲ ଯୋଷେଫଙ୍କର ପୁତ୍ରମାନଙ୍କୁ ଦେଖି ପଚାରିଲେ, “ଏମାନେ କିଏ?”
9ତହିଁରେ ଯୋଷେଫ ପିତାଙ୍କୁ କହିଲେ, “ଏମାନେ ମୋହର ପୁତ୍ର, ପରମେଶ୍ୱର ଏମାନଙ୍କୁ ଏହି ଦେଶରେ ମୋତେ ଦେଇଅଛନ୍ତି।” ତେବେ ଇସ୍ରାଏଲ କହିଲେ, “ବିନୟ କରୁଅଛି, ଏମାନଙ୍କୁ ମୋʼ ନିକଟକୁ ଆଣ, ମୁଁ ଏମାନଙ୍କୁ ଆଶୀର୍ବାଦ କରିବି।”
10ସେହି ସମୟରେ ଇସ୍ରାଏଲ ବୃଦ୍ଧାବସ୍ଥା ହେତୁ କ୍ଷୀଣଦୃଷ୍ଟି ହେବାରୁ ସ୍ପଷ୍ଟରୂପେ ଦେଖି ପାରିଲେ ନାହିଁ। ଏଣୁ ଯୋଷେଫ ତାଙ୍କ କତିକି ସେମାନଙ୍କୁ ଆଣି ଦିଅନ୍ତେ, ସେ ସେମାନଙ୍କୁ ଚୁମ୍ବନ ଓ ଆଲିଙ୍ଗନ କଲେ।
11ପୁଣି, ଇସ୍ରାଏଲ ଯୋଷେଫଙ୍କୁ କହିଲେ, “ମୁଁ ଭାବିଥିଲି, ତୁମ୍ଭ ମୁଖ ଆଉ ଦେଖି ପାରିବି ନାହିଁ; ମାତ୍ର ଦେଖ, ପରମେଶ୍ୱର ତୁମ୍ଭର ବଂଶ ମଧ୍ୟ ମୋତେ ଦେଖାଇଲେ।”
12ତହୁଁ ଯୋଷେଫ ପିତାଙ୍କର ଦୁଇ ଜଙ୍ଘ ମଧ୍ୟରୁ ସେମାନଙ୍କୁ ନେଇ ଆପେ ଭୂମିଷ୍ଠ ପ୍ରଣାମ କଲେ।