9ଏହି ଗୃହର ପୂର୍ବକାଳର ଐଶ୍ୱର୍ଯ୍ୟ ଅପେକ୍ଷା ଶେଷ କାଳର ଐଶ୍ୱର୍ଯ୍ୟ ଅଧିକ ଗୁରୁତର ହେବ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି; ପୁଣି, ଏହି ସ୍ଥାନରେ ଆମ୍ଭେ ଶାନ୍ତି ପ୍ରଦାନ କରିବା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।’”
10ଦାରୀୟାବସଙ୍କ ରାଜତ୍ଵର ଦ୍ୱିତୀୟ ବର୍ଷର ନବମ ମାସର ଚତୁର୍ବିଂଶ ଦିନରେ ହାଗୟ ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, “ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି;
11ଏବେ ଯାଜକମାନଙ୍କୁ ବ୍ୟବସ୍ଥା ବିଷୟ ପଚାର, କୁହ,
12‘କେହି ଆପଣା ବସ୍ତ୍ରର ଅଞ୍ଚଳରେ ପବିତ୍ର ମାଂସ ବହିଲେ, ଯଦି ତାହାର ଅଞ୍ଚଳ ରୁଟି କିମ୍ବା ଝୋଳ କି ଦ୍ରାକ୍ଷାରସ କିଅବା ତୈଳ ଅଥବା କୌଣସି ପ୍ରକାର ଖାଦ୍ୟ ଦ୍ରବ୍ୟକୁ ସ୍ପର୍ଶ କରେ, ତେବେ ତାହା କି ପବିତ୍ର ହେବ?’” ତହିଁରେ ଯାଜକମାନେ ଉତ୍ତର କରି କହିଲେ, “ନା।”
13ସେତେବେଳେ ହାଗୟ କହିଲେ, “ଶବ ଦ୍ୱାରା ଅଶୁଚି ହୋଇଥିବା କୌଣସି ଲୋକ ଯଦି ଏହି ଦ୍ରବ୍ୟମାନର ମଧ୍ୟରୁ କୌଣସି ଦ୍ରବ୍ୟ ସ୍ପର୍ଶ କରେ, ତେବେ ତାହା କି ଅଶୁଚି ହେବ?” ତହିଁରେ ଯାଜକମାନେ ଉତ୍ତର କରି କହିଲେ, “ତାହା ଅଶୁଚି ହେବ।”