4ଆଉ, ଆପଣା ଆପଣା କର୍ତ୍ତାମାନଙ୍କୁ ଏହି କଥା କହିବା ପାଇଁ ସେମାନଙ୍କୁ ଏହି ଆଦେଶ ଦିଅ, ‘ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ତୁମ୍ଭେମାନେ ଆପଣା ଆପଣା କର୍ତ୍ତାଙ୍କୁ ଏହି କଥା କହିବ;
5ଆମ୍ଭେ ଆପଣାର ମହାପରାକ୍ରମ ଓ ବିସ୍ତୀର୍ଣ୍ଣ ବାହୁ ଦ୍ୱାରା ପୃଥିବୀ ଓ ପୃଥିବୀନିବାସୀ ମନୁଷ୍ୟ ଓ ପଶୁ ସୃଷ୍ଟି କରିଅଛୁ; ଆଉ, ଯାହାକୁ ତାହା ଦେବା ପାଇଁ ଆମ୍ଭଙ୍କୁ ଉଚିତ ଦେଖାଯାଏ, ତାହାକୁ ଆମ୍ଭେ ତାହା ଦେଉ।
6ପୁଣି, ସମ୍ପ୍ରତି ଆମ୍ଭେ ଏହିସବୁ ଦେଶ ଆପଣା ଦାସ ବାବିଲର ରାଜା ନବୂଖଦ୍ନିତ୍ସରର ହସ୍ତରେ ଦେଇଅଛୁ ଓ ତାହାର ସେବା କରିବା ନିମନ୍ତେ କ୍ଷେତ୍ରସ୍ଥ ପଶୁମାନଙ୍କୁ ହିଁ ତାହାକୁ ଦେଇଅଛୁ।
7ଆଉ, ତାହାର ନିଜ ଦେଶର ସମୟ ଉପସ୍ଥିତ ହେବା ପର୍ଯ୍ୟନ୍ତ ସମୁଦାୟ ଗୋଷ୍ଠୀ ତାହାର ଓ ତାହାର ପୁତ୍ରର ଓ ପୌତ୍ରର ଦାସ୍ୟକର୍ମ କରିବେ; ତହିଁ ଉତ୍ତାରେ ଅନେକ ଗୋଷ୍ଠୀ ଓ ମହାନ ମହାନ ରାଜାମାନେ ତାହାକୁ ଆପଣାମାନଙ୍କର ଦାସ୍ୟକର୍ମ କରାଇବେ।
8ପୁଣି, ଯେଉଁ ଦେଶ ଓ ରାଜ୍ୟ ସେହି ବାବିଲର ରାଜା ନବୂଖଦ୍ନିତ୍ସରର ଦାସ୍ୟକର୍ମ କରିବେ ନାହିଁ ଓ ବାବିଲର ରାଜାର ଯୁଆଳି ତଳେ ଆପଣା ଆପଣା ବେକ ରଖିବେ ନାହିଁ, ସଦାପ୍ରଭୁ କହନ୍ତି, ଆମ୍ଭେ ସେ ଦେଶକୁ ତାହାର ହସ୍ତ ଦ୍ୱାରା ସଂହାରିତ ନ କରିବା ପର୍ଯ୍ୟନ୍ତ ଖଡ୍ଗ ଓ ଦୁର୍ଭିକ୍ଷ ଓ ମହାମାରୀ ଦ୍ୱାରା ଦଣ୍ଡ ଦେବା।