9ତାହାର ବ୍ୟଭିଚାରର ଅଖ୍ୟାତିରେ ଦେଶ ଅଶୁଚି ହେଲା ଓ ସେ ପଥର ଓ କାଠ ସଙ୍ଗରେ ବ୍ୟଭିଚାର କଲା।
10ପୁଣି, ଏସବୁ ହେଲେ ହେଁ ତାହାର ବିଶ୍ୱାସଘାତିନୀ ଭଗିନୀ ଯିହୁଦା ଆପଣା ସର୍ବାନ୍ତଃକରଣ ସହିତ ନୁହେଁ, ମାତ୍ର କପଟ ଭାବରେ ଆମ୍ଭ ପ୍ରତି ଫେରିଅଛି, ଏହା ସଦାପ୍ରଭୁ କହନ୍ତି।”
11ଆଉ, ସଦାପ୍ରଭୁ ମୋତେ କହିଲେ, “ବିପଥଗାମୀନୀ ଇସ୍ରାଏଲ ବିଶ୍ୱାସଘାତିନୀ ଯିହୁଦା ଅପେକ୍ଷା ଆପଣାକୁ ଧାର୍ମିକା ଦେଖାଇଅଛି।
12ତୁମ୍ଭେ ଯାଇ ଉତ୍ତର ଦିଗ ଆଡ଼େ ଏହି କଥା ପ୍ରଚାର କରି କୁହ, ହେ ବିପଥଗାମୀନୀ ଇସ୍ରାଏଲ, ସଦାପ୍ରଭୁ କହନ୍ତି, ତୁମ୍ଭେ ଫେର; ଆମ୍ଭେ ତୁମ୍ଭ ପ୍ରତି କ୍ରୋଧ ଦୃଷ୍ଟି କରିବା ନାହିଁ; କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ଦୟାବାନ, ଆମ୍ଭେ ସର୍ବଦା କ୍ରୋଧ ରଖିବା ନାହିଁ।
13ସଦାପ୍ରଭୁ କହନ୍ତି, ତୁମ୍ଭେ ଯେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବିରୁଦ୍ଧରେ ଅପରାଧ କରିଅଛ ଓ ପ୍ରତ୍ୟେକ ହରିଦ୍ବର୍ଣ୍ଣ ବୃକ୍ଷ ତଳେ ବିଦେଶୀୟମାନଙ୍କ ନିକଟକୁ ଯାଇ ଭ୍ରମଣ କରିଅଛ ଓ ଆମ୍ଭ ରବରେ ମନୋଯୋଗ କରି ନାହଁ, ଆପଣାର ଏହି ଅଧର୍ମାଚରଣ କେବଳ ସ୍ୱୀକାର କର।