10ଆଉ, ମୁଁ କ୍ରୟପତ୍ରରେ ସ୍ୱାକ୍ଷର କରି ମୁଦ୍ରାଙ୍କ କଲି ଓ ସାକ୍ଷୀ ରଖି ନିକ୍ତିରେ ରୂପା ତୌଲି ତାହାକୁ ଦେଲି।
11ତହୁଁ ମୁଁ କ୍ରୟପତ୍ରର ଦୁଇ କିତା, ଅର୍ଥାତ୍, ବ୍ୟବସ୍ଥା ଓ ଧାରାନୁସାରେ ମୁଦ୍ରାଙ୍କିତ ଏକ କିତା ଓ ଖୋଲା ଏକ କିତା ନେଲି;
12ପୁଣି, ମୋʼ ପିତୃବ୍ୟର ପୁତ୍ର ହନନେଲର ସାକ୍ଷାତରେ ଓ କ୍ରୟପତ୍ରରେ ସ୍ୱାକ୍ଷରକାରୀ ସାକ୍ଷୀମାନଙ୍କ ସାକ୍ଷାତରେ ଓ ପ୍ରହରୀ ପ୍ରାଙ୍ଗଣରେ ଉପବିଷ୍ଟ ସମସ୍ତ ଯିହୁଦୀମାନଙ୍କ ସାକ୍ଷାତରେ ମୁଁ ସେହି କ୍ରୟପତ୍ର ମହସେୟର ପୌତ୍ର ନେରୀୟର ପୁତ୍ର ବାରୂକର ହସ୍ତରେ ସମର୍ପଣ କଲି।
13ଆଉ, ସେମାନଙ୍କ ସାକ୍ଷାତରେ ମୁଁ ବାରୂକକୁ ଏହି ଆଜ୍ଞା କଲି,
14‘ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେ ଏହି ମୁଦ୍ରାଙ୍କିତ ଓ ଖୋଲା ଦୁଇ ଖଣ୍ଡ କ୍ରୟପତ୍ର ନେଇ ତାହା ଯେପରି ଅନେକ ଦିନ ରହିବ, ଏଥିପାଇଁ ଏକ ମୃତ୍ତିକା ପାତ୍ରରେ ରଖ।