29ଆଉ, ଯେଉଁ କଲ୍ଦୀୟମାନେ ଏହି ନଗର ବିରୁଦ୍ଧରେ ଯୁଦ୍ଧ କରୁଅଛନ୍ତି, ସେମାନେ ପ୍ରବେଶ କରି ଏହି ନଗରରେ ଅଗ୍ନି ଲଗାଇବେ, ପୁଣି ଆମ୍ଭକୁ ବିରକ୍ତ କରିବା ପାଇଁ ଯେଉଁ ସକଳ ଗୃହର ଛାତ ଉପରେ ଲୋକମାନେ ବାଲ୍ଦେବ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇଲେ ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ପେୟ-ନୈବେଦ୍ୟ ଢାଳିଲେ, ସେହି ସବୁ ଗୃହ ସହିତ ଏହି ନଗର ଅଗ୍ନିରେ ଦଗ୍ଧ କରିବେ।
30କାରଣ ଆମ୍ଭ ସାକ୍ଷାତରେ ଯାହା ମନ୍ଦ, କେବଳ ତାହା ହିଁ ଇସ୍ରାଏଲ-ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ ଆପଣା ଆପଣାର ବାଲ୍ୟକାଳରୁ କରି ଆସୁଅଛନ୍ତି; ଇସ୍ରାଏଲ-ସନ୍ତାନଗଣ ଆପଣାମାନଙ୍କର ହସ୍ତକୃତ କର୍ମ ଦ୍ୱାରା ଆମ୍ଭକୁ କେବଳ ବିରକ୍ତ କରିଅଛନ୍ତି, ଏହା ସଦାପ୍ରଭୁ କହନ୍ତି।
31କାରଣ ସେମାନେ ଏହି ନଗର ନିର୍ମାଣ କରିବା ଦିନଠାରୁ ଆଜି ପର୍ଯ୍ୟନ୍ତ ହିଁ ତାହା ଆମ୍ଭ କ୍ରୋଧ ଓ କୋପର କାରଣ ହୋଇ ଆସୁଅଛି; ତହିଁ ସକାଶୁ ତାହା ଆମ୍ଭ ସମ୍ମୁଖରୁ ଦୂରୀକୃତ ହେବାର ଯୋଗ୍ୟ ହୋଇଅଛି।
32କାରଣ ଇସ୍ରାଏଲ-ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ, ଅର୍ଥାତ୍, ସେମାନେ, ସେମାନଙ୍କର ରାଜାଗଣ, ଅଧିପତିଗଣ, ଯାଜକଗଣ ଓ ଭବିଷ୍ୟଦ୍ବକ୍ତାଗଣ, ଆଉ ଯିହୁଦାର ଲୋକମାନେ ଓ ଯିରୂଶାଲମ ନିବାସୀମାନେ ଆମ୍ଭକୁ ବିରକ୍ତ କରିବା ପାଇଁ ନାନା ପ୍ରକାର ଦୁଷ୍କ୍ରିୟା କରିଅଛନ୍ତି।
33ସେମାନେ ଆମ୍ଭ ପ୍ରତି ମୁଖ ନ ଫେରାଇ ପିଠି ଫେରାଇ ଅଛନ୍ତି; ଆଉ, ଆମ୍ଭେ ସେମାନଙ୍କୁ ଶିକ୍ଷା ଦେଲେ ହେଁ, ପ୍ରଭାତରେ ଉଠି ଶିକ୍ଷା ଦେଲେ ହେଁ ସେମାନେ ଶିକ୍ଷା ଗ୍ରହଣ କରିବା ପାଇଁ ମନୋଯୋଗ କରି ନାହାନ୍ତି।