5ଲୋକମାନେ କଲ୍ଦୀୟମାନଙ୍କ ସଙ୍ଗେ ଯୁଦ୍ଧ କରିବାକୁ ଆସନ୍ତି, ମାତ୍ର ଯେଉଁମାନଙ୍କୁ ଆମ୍ଭେ ଆପଣା କ୍ରୋଧରେ ଓ ପ୍ରଚଣ୍ଡ କୋପରେ ବଧ କରିଅଛୁ ଓ ଯେଉଁମାନଙ୍କ ସକଳ ଦୁଷ୍ଟତା ସକାଶୁ ଆମ୍ଭେ ଏହି ନଗରଠାରୁ ଆପଣା ମୁଖ ଲୁଚାଇଅଛୁ, ସେହି ଲୋକମାନଙ୍କ ଶବରେ ସେସବୁ ଗୃହ ପରିପୂର୍ଣ୍ଣ ହେବ।
6ଦେଖ, ଆମ୍ଭେ ଏହି ନଗର ପ୍ରତି ସ୍ୱାସ୍ଥ୍ୟ ଆଉ ଆରୋଗ୍ୟ ଆଣିବା, ଆମ୍ଭେ ଲୋକମାନଙ୍କୁ ଆରୋଗ୍ୟ କରିବା; ପୁଣି, ଆମ୍ଭେ ସେମାନଙ୍କ ପ୍ରତି ପ୍ରଚୁର ଶାନ୍ତି ଓ ସତ୍ୟତା ପ୍ରକାଶ କରିବା।
7ଆଉ, ଆମ୍ଭେ ଯିହୁଦାର ବନ୍ଦୀତ୍ୱାବସ୍ଥା ଓ ଇସ୍ରାଏଲର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା, ପୁଣି ଆଦ୍ୟ କାଳର ନ୍ୟାୟ ସେମାନଙ୍କୁ ଗଠନ କରିବା।
8ପୁଣି, ସେମାନେ ଆପଣାମାନଙ୍କର ଯେଉଁ ଅଧର୍ମ ଦ୍ୱାରା ଆମ୍ଭ ବିରୁଦ୍ଧରେ ପାପ କରିଅଛନ୍ତି; ସେସବୁରୁ ଆମ୍ଭେ ସେମାନଙ୍କୁ ଶୁଚି କରିବା ଓ ସେମାନେ ଆପଣାମାନଙ୍କର ଯେଉଁ ଅଧର୍ମାଚରଣ ଦ୍ୱାରା ଆମ୍ଭ ବିରୁଦ୍ଧରେ ପାପ କରିଅଛନ୍ତି ଓ ଯଦ୍ଦ୍ୱାରା ସେମାନେ ଆମ୍ଭର ଆଜ୍ଞାଲଙ୍ଘନ କରିଅଛନ୍ତି, ଆମ୍ଭେ ସେସବୁ କ୍ଷମା କରିବା।
9ପୁଣି, ଆମ୍ଭେ ସେମାନଙ୍କ ପ୍ରତି ଯେସକଳ ମଙ୍ଗଳ କରିବା, ତାହା ପୃଥିବୀସ୍ଥ ସକଳ ଗୋଷ୍ଠୀ ଶ୍ରବଣ କରିବେ, ସେମାନଙ୍କ ସମ୍ମୁଖରେ ଏହି ନଗର ଆମ୍ଭ ପକ୍ଷରେ ଆନନ୍ଦଜନକ କୀର୍ତ୍ତି, ପ୍ରଶଂସା ଓ ଗୌରବ ସ୍ୱରୂପ ହେବ, ଆଉ ଆମ୍ଭେ ତାହା ପାଇଁ ଯେସବୁ ମଙ୍ଗଳ ଓ ଶାନ୍ତି ଆୟୋଜନ କରିବା, ତହିଁ ସକାଶୁ ସେମାନେ ଭୀତ ଓ କମ୍ପିତ ହେବେ।