17ପୁଣି, ସେମାନେ ବାରୂକକୁ ପଚାରିଲେ, “କହିଲ, ତୁମ୍ଭେ କିପରି ତାହା ମୁଖରୁ ଏସବୁ କଥା ଶୁଣି ଲେଖିଲ?”
18ତହିଁରେ ବାରୂକ ସେମାନଙ୍କୁ ଉତ୍ତର କଲା, “ସେ ଆପଣା ମୁଖରେ ଏହିସବୁ କଥା ମୋʼ ନିକଟରେ ଉଚ୍ଚାରଣ କଲେ, ଆଉ ମୁଁ କାଳୀ ନେଇ ନଳାକାର ପୁସ୍ତକରେ ଲେଖିଲି।”
19ସେତେବେଳେ ଅଧିପତିମାନେ ବାରୂକକୁ କହିଲେ, “ତୁମ୍ଭେ ଓ ଯିରିମୀୟ ଯାଇ ଲୁଚ; ଆଉ, ତୁମ୍ଭେମାନେ କେଉଁଠାରେ ଅଛ, ଏହା କେହି ନ ଜାଣୁ।”
20ଏଥିଉତ୍ତାରେ ସେମାନେ ପ୍ରାଙ୍ଗଣରେ ରାଜା ନିକଟକୁ ଗଲେ; ମାତ୍ର ନଳାକାର ପୁସ୍ତକଟି ଇଲୀଶାମା ଲେଖକର କୋଠରିରେ ଛାଡ଼ି ଯାଇଥିଲେ; ଆଉ, ସେମାନେ ରାଜାର କର୍ଣ୍ଣଗୋଚରରେ ଏସବୁ କଥା ଜଣାଇଲେ।
21ତହୁଁ ରାଜା ନଳାକାର ପୁସ୍ତକ ଆଣିବା ପାଇଁ ଯିହୁଦୀକୁ ପଠାନ୍ତେ, ସେ ଇଲୀଶାମା ଲେଖକର କୋଠରିରୁ ତାହା ଆଣିଲା। ପୁଣି, ଯିହୁଦୀ ରାଜାଙ୍କ କର୍ଣ୍ଣଗୋଚରରେ ଓ ତାହାଙ୍କ ଛାମୁରେ ଠିଆ ହୋଇଥିବା ସମସ୍ତ ଅଧିପତିଙ୍କ କର୍ଣ୍ଣଗୋଚରରେ ତାହା ପାଠ କଲା।