1ଅମ୍ମୋନ-ସନ୍ତାନଗଣର ବିଷୟ। ସଦାପ୍ରଭୁ ଏହି କଥା କହନ୍ତି, “ଇସ୍ରାଏଲର କି ପୁତ୍ର ନାହିଁ? ତାହାର ଉତ୍ତରାଧିକାରୀ କି କେହି ନାହିଁ? ତେବେ ମିଲ୍କମ୍ କାହିଁକି ଗାଦ୍ର ଭୂମି ଅଧିକାର କରୁଅଛି ଓ ତାହାର ଲୋକମାନେ ତହିଁର ନଗରସମୂହରେ ବାସ କରୁଅଛନ୍ତି?
2ଏହେତୁ ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ ଅମ୍ମୋନ-ସନ୍ତାନଗଣର ରବ୍ବା ନଗର ବିରୁଦ୍ଧରେ ଯୁଦ୍ଧର ଭୟ ଧ୍ୱନି ଶୁଣାଇବା, ଏପରି ସମୟ ଆସୁଅଛି; ଆଉ, ତାହା ନରଶୂନ୍ୟ ଢିପି ହେବ ଓ ତାହାର କନ୍ୟାଗଣ ଅଗ୍ନିରେ ଦଗ୍ଧ କରାଯିବେ; ତହିଁରେ ଯେଉଁମାନେ ଇସ୍ରାଏଲ ଉପରେ ଅଧିକାର କରିଥିଲେ, ସେ ସେମାନଙ୍କ ଉପରେ ଅଧିକାର କରିବ, ଏହା ସଦାପ୍ରଭୁ କହନ୍ତି।
3ହେ ହିଷ୍ବୋନ, ହାହାକାର କର, କାରଣ ଅୟ ଉଚ୍ଛିନ୍ନ ହେଲା! ହେ ରବ୍ବାର କନ୍ୟାଗଣ, କ୍ରନ୍ଦନ କର, ଚଟବସ୍ତ୍ର ପରିଧାନ କର; ବିଳାପ କର, ପ୍ରାଚୀର ମଧ୍ୟରେ ଏଣେତେଣେ ଦୌଡ଼; କାରଣ ମିଲ୍କମ୍, ତାହାର ଯାଜକଗଣ ଓ ଅଧିପତିଗଣ ଏକତ୍ର ବନ୍ଦୀ ହୋଇଯିବେ।
4ଗୋ ବିପଥଗାମିନୀ କନ୍ୟେ, ତୁମ୍ଭେ କାହିଁକି ତଳଭୂମି ସବୁରେ, ଆପଣା ପ୍ରବାହଶୀଳ ତଳଭୂମିରେ ଦର୍ପ କରୁଅଛ? ତୁମ୍ଭେ ଆପଣା ଧନ ସମ୍ପତ୍ତିରେ ନିର୍ଭର କରି କହୁଅଛ, ‘ମୋʼ ନିକଟକୁ କିଏ ଆସିବ?’