20ଏହେତୁ ସଦାପ୍ରଭୁ ଇଦୋମର ବିରୁଦ୍ଧରେ ଯେଉଁ ମନ୍ତ୍ରଣା ଓ ତୈମନ୍ ନିବାସୀମାନଙ୍କ ବିରୁଦ୍ଧରେ ଯେଉଁ ସଂକଳ୍ପ କରିଅଛନ୍ତି, ତାହା ଶୁଣ, ଲୋକମାନେ ନିଶ୍ଚୟ ସେମାନଙ୍କୁ, ପଲର ଛୁଆମାନଙ୍କୁ ହିଁ ଟାଣି ନେଇଯିବେ; ସେ ନିଶ୍ଚୟ ସେମାନଙ୍କ ନିବାସ ସ୍ଥାନ ସହିତ ସେମାନଙ୍କୁ ଉତ୍ସନ୍ନ କରିବ।
21ସେମାନଙ୍କର ପତନ ଶବ୍ଦରେ ପୃଥିବୀ କମ୍ପୁଅଛି, ସୂଫ ସାଗର ପର୍ଯ୍ୟନ୍ତ କ୍ରନ୍ଦନର ଶବ୍ଦ ଶୁଣା ଯାଉଅଛି।
22ଦେଖ, ସେ ଉତ୍କ୍ରୋଶ ପକ୍ଷୀ ପରି ଉଠି ଉଡ଼ି ଆସିବ ଓ ବସ୍ରା ଉପରେ ଆପଣା ପକ୍ଷ ବିସ୍ତାର କରିବ; ପୁଣି, ସେସମୟରେ ଇଦୋମର ବୀର ପୁରୁଷମାନଙ୍କ ଅନ୍ତଃକରଣ ପ୍ରସବ ବେଦନାଗ୍ରସ୍ତା ସ୍ତ୍ରୀର ଅନ୍ତଃକରଣର ସମାନ ହେବ।”
23ଦମ୍ମେଶକର ବିଷୟ। “ହମାତ୍ ଓ ଅର୍ପଦ ଲଜ୍ଜିତ ହେଉଅଛନ୍ତି, କାରଣ ସେମାନେ ଅମଙ୍ଗଳର ବାର୍ତ୍ତା ଶୁଣିଅଛନ୍ତି, ସେମାନେ ତରଳି ଯାଇଅଛନ୍ତି; ସମୁଦ୍ରରେ ଉଦ୍ବେଗ ଦେଖାଯାଉଅଛି, ତାହା ସୁସ୍ଥିର ହୋଇ ନ ପାରେ।
24ଦମ୍ମେଶକ କ୍ଷୀଣବଳ ହୋଇଅଛି, ସେ ପଳାଇବା ପାଇଁ ଫେରୁଅଛି, କମ୍ପନ ତାହାକୁ ଆକ୍ରାନ୍ତ କରିଅଛି; ଯେପରି ପ୍ରସବକାଳରେ ସ୍ତ୍ରୀଲୋକକୁ, ସେପରି ତାହାକୁ ଯନ୍ତ୍ରଣା ଓ ଦୁଃଖ ଧରିଅଛି।