22ସଦାପ୍ରଭୁ କହନ୍ତି, ତୁମ୍ଭେମାନେ କି ଆମ୍ଭକୁ ଭୟ କରୁ ନାହଁ? ସମୁଦ୍ର ଯେପରି ଉଲ୍ଲଙ୍ଘନ କରି ନ ପାରିବ, ଏଥିପାଇଁ ନିତ୍ୟସ୍ଥାୟୀ ବିଧିକ୍ରମେ ତହିଁର ସୀମା ରୂପେ ବାଲୁକା ସ୍ଥାପନ କରିଅଛୁ ଯେ ଆମ୍ଭେ, ଆମ୍ଭ ସାକ୍ଷାତରେ ତୁମ୍ଭେମାନେ କି କମ୍ପବାନ ହେବ ନାହିଁ? ତହିଁର ତରଙ୍ଗମାଳା ଉଚ୍ଚକୁ ଉଠେ, ତଥାପି କୃତାର୍ଥ ହୋଇପାରେ ନାହିଁ, କଲ୍ଲୋଳ ଧ୍ୱନି କରେ, ତଥାପି ସୀମା ଅତିକ୍ରମ କରିପାରେ ନାହିଁ।
23ମାତ୍ର ଲୋକମାନଙ୍କର ମନ ଅବାଧ୍ୟ ଓ ପ୍ରତିକୂଳାଚାରୀ; ସେମାନେ ଅବାଧ୍ୟ ହୋଇ ଚାଲି ଯାଇଅଛନ୍ତି।
24ଅଥବା ଯେ ଯଥା ସମୟରେ ଆଦ୍ୟ ଓ ଶେଷ ବୃଷ୍ଟିର ପ୍ରଦାନକର୍ତ୍ତା; ଯେ ଆମ୍ଭମାନଙ୍କ ନିମନ୍ତେ ଶସ୍ୟଚ୍ଛେଦନର ନିରୂପିତ ସପ୍ତାହମାନ ରକ୍ଷା କରନ୍ତି, ଆସ, ଏବେ ଆମ୍ଭେମାନେ ସେହି ସଦାପ୍ରଭୁ ଆପଣାମାନଙ୍କର ପରମେଶ୍ୱରଙ୍କୁ ଭୟ କରୁ, ଏହା ସେମାନେ ମନେ ମନେ କହନ୍ତି ନାହିଁ।
25ତୁମ୍ଭମାନଙ୍କର ଅଧର୍ମ ଏହିସବୁ ଅନ୍ୟଥା କରିଅଛି ଓ ତୁମ୍ଭମାନଙ୍କର ପାପ ତୁମ୍ଭମାନଙ୍କର ମଙ୍ଗଳ ନିବାରଣ କରିଅଛି।
26କାରଣ ଆମ୍ଭ ଲୋକମାନଙ୍କ ମଧ୍ୟରେ ଦୁଷ୍ଟ ଲୋକ ଦେଖା ଯାଆନ୍ତି; ସେମାନେ ବ୍ୟାଧ ତୁଲ୍ୟ ଛକି ବସି ଜଗନ୍ତି; ସେମାନେ ଫାନ୍ଦ ପାତି ମନୁଷ୍ୟ ଧରନ୍ତି।