10ମୁଁ ପର୍ବତମାନର ବିଷୟରେ ରୋଦନ ଓ ହାହାକାର ଓ ପ୍ରାନ୍ତରସ୍ଥ ଚରାସ୍ଥାନସକଳର ବିଷୟରେ ବିଳାପ କରିବି, କାରଣ ସେସବୁ ଦଗ୍ଧ ହୋଇଅଛି ଓ ତହିଁର ମଧ୍ୟଦେଇ କେହି ଗତାୟାତ କରେ ନାହିଁ; ଅଥବା ଲୋକମାନେ ପଶୁପଲର ରବ ଶୁଣି ପାରନ୍ତି ନାହିଁ; ଆକାଶସ୍ଥ ପକ୍ଷୀଗଣ ଓ ଭୂଚର ପଶୁଗଣ ଉଭୟ ପଳାୟନ କରିଅଛନ୍ତି, ସେମାନେ ଚାଲି ଯାଇଅଛନ୍ତି।
11ପୁଣି, ଆମ୍ଭେ ଯିରୂଶାଲମକୁ ଢିପି ଓ ଶୃଗାଳଗଣର ବାସସ୍ଥାନ କରିବା; ଆଉ, ଆମ୍ଭେ ଯିହୁଦାର ନଗରସମୂହକୁ ନିବାସୀବିହୀନ ଧ୍ୱଂସସ୍ଥାନ କରିବା।”
12ଏହା ଯେ ବୁଝିପାରେ, ଏପରି ଜ୍ଞାନୀ ମନୁଷ୍ୟ କିଏ ଅଛି? ଓ ଏହା ବ୍ୟକ୍ତ କରିବା ପାଇଁ ସଦାପ୍ରଭୁଙ୍କର ମୁଖ ଯାହାକୁ ଜ୍ଞାତ କରାଇଅଛି, ଏପରି ବ୍ୟକ୍ତି କିଏ? ଦେଶ କି ନିମନ୍ତେ ବିନଷ୍ଟ ଓ ପ୍ରାନ୍ତର ତୁଲ୍ୟ ଦଗ୍ଧ ହେଲା ଯେ, କେହି ତହିଁର ମଧ୍ୟଦେଇ ଗତାୟାତ କରେ ନାହିଁ?
13ଆହୁରି, ସଦାପ୍ରଭୁ କହନ୍ତି, “କାରଣ ଏହି, ଆମ୍ଭେ ସେମାନଙ୍କ ସମ୍ମୁଖରେ ଆପଣାର ଯେଉଁ ବ୍ୟବସ୍ଥା ରଖିଲୁ, ତାହା ସେମାନେ ତ୍ୟାଗ କରିଅଛନ୍ତି ଓ ଆମ୍ଭର ବାକ୍ୟ ପାଳନ କରି ନାହାନ୍ତି, କିଅବା ତଦନୁସାରେ ଆଚରଣ କରି ନାହାନ୍ତି;
14ମାତ୍ର ଆପଣା ଆପଣା ଅନ୍ତଃକରଣର ଅବାଧ୍ୟତାନୁସାରେ ଓ ସେମାନଙ୍କ ପୂର୍ବପୁରୁଷମାନଙ୍କ ଶିକ୍ଷାମତେ ବାଲ୍ ନାମକ ଦେବଗଣର ଅନୁଗାମୀ ହୋଇ ଆଚରଣ କରିଅଛନ୍ତି।