5ତେବେ ଯୂନସ ନଗର ବାହାରକୁ ଯାଇ ନଗରର ପୂର୍ବ ଦିଗରେ ବସିଲେ, ପୁଣି ସେଠାରେ ଗୋଟିଏ କୁଟୀର ନିର୍ମାଣ କରି ନଗରର କି ଦଶା ହୁଅଇ, ଏହା ଦେଖିବା ପାଇଁ ତହିଁର ଛାୟା ତଳେ ବସିଲେ।
6ତହିଁରେ ସଦାପ୍ରଭୁ ପରମେଶ୍ୱର ଗୋଟିଏ କଖାରୁ ଲତା ନିରୂପଣ କଲେ, ପୁଣି ଯୂନସଙ୍କୁ ତାଙ୍କ ଦୁର୍ଗତିରୁ ଉଦ୍ଧାର କରିବା ନିମନ୍ତେ ତାହା ଯେପରି ତାଙ୍କ ମସ୍ତକ ଉପରେ ଛାୟା କରିବ, ଏଥିପାଇଁ ସେ ଲତାକୁ ବଢ଼ାଇ ତାଙ୍କ ଉପରେ ଆଣିଲେ। ଏଥିରେ ଯୂନସ ସେହି କଖାରୁ ଲତା ସକାଶୁ ବଡ଼ ଆହ୍ଲାଦିତ ହେଲେ।
7ମାତ୍ର ତହିଁ ଆରଦିନ ସୂର୍ଯ୍ୟୋଦୟ ସମୟରେ ପରମେଶ୍ୱର ଏକ କୀଟ ନିରୂପଣ କଲେ, ସେହି କୀଟ କଖାରୁ ଲତାକୁ କାଟି ଦିଅନ୍ତେ, ତାହା ଶୁଷ୍କ ହୋଇଗଲା।
8ପୁଣି, ସୂର୍ଯ୍ୟୋଦୟ ସମୟରେ ପରମେଶ୍ୱର ପୂର୍ବୀୟ ଝଞ୍ଜା ବାୟୁ ନିରୂପଣ କଲେ; ଆଉ, ଯୂନସଙ୍କ ମସ୍ତକରେ ଏପରି ଖରା ଲାଗିଲା ଯେ, ସେ କ୍ଳାନ୍ତ ହୋଇ ଆପଣାର ମୃତ୍ୟୁୁ-ପ୍ରାର୍ଥନା କରି କହିଲେ, “ବଞ୍ଚିବା ଅପେକ୍ଷା ମୋର ମରିବାର ଭଲ।”
9ଏଥିରେ ପରମେଶ୍ୱର ଯୂନସଙ୍କୁ କହିଲେ, “ତୁମ୍ଭେ କଖାରୁ ଲତା ସକାଶୁ କ୍ରୋଧ କରି କି ଭଲ କରୁଅଛ?” ତହିଁରେ ସେ କହିଲେ, “ମରଣ ପର୍ଯ୍ୟନ୍ତ ହିଁ କ୍ରୋଧ କରିବାର ମୋର ଭଲ।”