15ପୁଣି ସଦାପ୍ରଭୁ ତୁମ୍ଭମାନଙ୍କୁ ଯେପରି ବିଶ୍ରାମ ଦେଇଅଛନ୍ତି, ସେପରି ତୁମ୍ଭମାନଙ୍କ ଭାଇମାନଙ୍କୁ ବିଶ୍ରାମ ଦେବା ଯାଏ, ମଧ୍ୟ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ସେମାନଙ୍କୁ ଯେଉଁ ଦେଶ ଦେବାକୁ ଉଦ୍ୟତ ଅଛନ୍ତି, ତାହା ସେମାନେ ଅଧିକାର କରିବା ଯାଏ ତୁମ୍ଭେମାନେ ସେମାନଙ୍କର ଉପକାର କରିବ; ତହିଁ ଉତ୍ତାରେ ଯର୍ଦ୍ଦନର ପୂର୍ବପାରିରେ ସୂର୍ଯ୍ୟୋଦୟ ଦିଗରେ ସଦାପ୍ରଭୁଙ୍କ ସେବକ ମୋଶା ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଇଅଛନ୍ତି, ତୁମ୍ଭେମାନେ ଆପଣାମାନଙ୍କ ସେହି ଅଧିକୃତ ଦେଶକୁ ଫେରିଆସି ତାହା ଅଧିକାର କରିବ।”
16ଏଥିରେ ସେମାନେ ଯିହୋଶୂୟଙ୍କୁ ଉତ୍ତର ଦେଇ କହିଲେ, “ତୁମ୍ଭେ ଆମ୍ଭମାନଙ୍କୁ ଯାହା ଯାହା ଆଜ୍ଞା କରିଅଛ, ତାହାସବୁ ଆମ୍ଭେମାନେ କରିବୁ ଓ ତୁମ୍ଭେ ଆମ୍ଭମାନଙ୍କୁ ଯେକୌଣସି ସ୍ଥାନକୁ ପଠାଇବ; ଆମ୍ଭେମାନେ ସେସ୍ଥାନକୁ ଯିବୁ।
17ଆମ୍ଭେମାନେ ସବୁ ବିଷୟରେ ଯେପରି ମୋଶାଙ୍କର କଥା ଶୁଣୁଥିଲୁ, ସେପରି ଆମ୍ଭେମାନେ ତୁମ୍ଭ କଥା ଶୁଣିବୁ। ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେପରି ମୋଶାଙ୍କ ସଙ୍ଗରେ ଥିଲେ, ସେପରି ସେ ତୁମ୍ଭ ସଙ୍ଗରେ ହେଉନ୍ତୁ।
18ଯେଉଁ ବ୍ୟକ୍ତି ତୁମ୍ଭ ଆଜ୍ଞାର ବିରୁଦ୍ଧାଚରଣ କରିବ ଓ ତୁମ୍ଭେ ଯେ ଯେ କଥା ଆଦେଶ କରିବ, ତାହାସବୁ ଶୁଣିବ ନାହିଁ, ସେ ଯେକେହି ହେଉ, ତାହାର ପ୍ରାଣଦଣ୍ଡ ହେବ। ତୁମ୍ଭେ କେବଳ ବଳବାନ ଓ ସାହସିକ ହୁଅ।”