8ଏଥିରେ ସେହି ଲୋକମାନେ ଉଠି ଯାତ୍ରା କଲେ; ପୁଣି ଯିହୋଶୂୟ ସେହି ଦେଶ ବିଷୟ ଲେଖିବା ପାଇଁ ଯିବା ଲୋକମାନଙ୍କୁ ଆଜ୍ଞା ଦେଇ କହିଲେ, “ତୁମ୍ଭେମାନେ ଯାଇ ଦେଶ ଦେଇ ଭ୍ରମଣ କରି ତହିଁ ବିଷୟ ଲେଖ ଓ ଆମ୍ଭ ନିକଟକୁ ପୁନର୍ବାର ଆସ; ତହିଁରେ ଆମ୍ଭେ ଏହି ଶୀଲୋରେ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କ ନିମନ୍ତେ ଗୁଲିବାଣ୍ଟ କରିବା।”
9ଏଥିରେ ସେହି ଲୋକମାନେ ଯାଇ ଦେଶ ଦେଇ ଭ୍ରମଣ କଲେ ଓ ନଗର ଅନୁସାରେ ସାତ ଭାଗ କରି ନଳାକାର ପୁସ୍ତକରେ ଲେଖିଲେ; ତହୁଁ ଶୀଲୋସ୍ଥିତ ଛାଉଣିକୁ ଯିହୋଶୂୟଙ୍କର ନିକଟକୁ ଫେରି ଆସିଲେ।
10ଏଥିରେ ଯିହୋଶୂୟ ଶୀଲୋରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ନିମନ୍ତେ ଗୁଲିବାଣ୍ଟ କଲେ; ପୁଣି ଯିହୋଶୂୟ ସେହି ସ୍ଥାନରେ ଇସ୍ରାଏଲ-ସନ୍ତାନଗଣର ବିଭାଗାନୁସାରେ ଦେଶ ବାଣ୍ଟ କରି ସେମାନଙ୍କୁ ଦେଲେ।
11ତହୁଁ ବିନ୍ୟାମୀନ୍-ସନ୍ତାନମାନଙ୍କ ବଂଶର ବାଣ୍ଟ ସେମାନଙ୍କ ବଂଶାନୁସାରେ ଉଠିଲା। ସେମାନଙ୍କ ବାଣ୍ଟର ସୀମା ଯିହୁଦା-ସନ୍ତାନଗଣର ଓ ଯୋଷେଫ-ସନ୍ତାନଗଣର ମଧ୍ୟରେ ହେଲା।
12ସେମାନଙ୍କ ଉତ୍ତର ସୀମା ଯର୍ଦ୍ଦନଠାରୁ ହେଲା; ଆଉ ସେ ସୀମା ଯିରୀହୋର ଉତ୍ତର ପାର୍ଶ୍ୱ ଦେଇ ଗଲା, ତହୁଁ ପଶ୍ଚିମ ଦିଗସ୍ଥିତ ପର୍ବତମୟ ଦେଶ ଦେଇ ଗଲା; ପୁଣି ବେଥ୍-ଆବନ ପ୍ରାନ୍ତର ନିକଟରେ ତହିଁର ସୀମା ହେଲା।