8ଆଉ ଗୁପ୍ତଚରମାନେ ଶୟନ କରିବା ପୂର୍ବେ ସେ ସ୍ତ୍ରୀ ଛାତ ଉପରେ ସେମାନଙ୍କ ନିକଟକୁ ଯାଇ ସେମାନଙ୍କୁ କହିଲା,
9“ମୁଁ ଜାଣେ, ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ଦେଶ ଦେଇଅଛନ୍ତି, ତୁମ୍ଭମାନଙ୍କ ବିଷୟକ ଭୟ ଆମ୍ଭମାନଙ୍କ ଉପରେ ପଡ଼ିଅଛି ଓ ଏହି ଦେଶ ନିବାସୀ ସମସ୍ତେ ତୁମ୍ଭମାନଙ୍କ ଆଗରେ ତରଳି ଯାଉଅଛନ୍ତି।
10କାରଣ ତୁମ୍ଭେମାନେ ମିସରରୁ ବାହାରି ଆସିବା ବେଳେ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମୁଖରେ କିପ୍ରକାରେ ସୂଫ ସାଗରର ଜଳ ଶୁଷ୍କ କଲେ, ପୁଣି ତୁମ୍ଭେମାନେ ଯର୍ଦ୍ଦନ ସେପାରିସ୍ଥିତ ସୀହୋନ ଓ ଓଗ୍ ନାମକ ଇମୋରୀୟମାନଙ୍କ ଦୁଇ ରାଜାଙ୍କ ପ୍ରତି କି ପ୍ରକାର ବ୍ୟବହାର କରି ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିଅଛ, ତାହା ଆମ୍ଭେମାନେ ଶୁଣିଅଛୁ;
11ଆଉ ତାହା ଶୁଣିବାମାତ୍ରେ ଆମ୍ଭମାନଙ୍କ ହୃଦୟ ତରଳି ଗଲା; ପୁଣି ତୁମ୍ଭମାନଙ୍କ ମୁଖ ସକାଶୁ କୌଣସି ପୁରୁଷର ଆତ୍ମା ଆଉ ଉଠିଲା ନାହିଁ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଉପରିସ୍ଥ ସ୍ୱର୍ଗରେ ଓ ନୀଚସ୍ଥ ପୃଥିବୀରେ ପରମେଶ୍ୱର ଅଟନ୍ତି।
12ଏଣୁ ଏବେ ବିନୟ କରୁଅଛି, ତୁମ୍ଭେମାନେ ସଦାପ୍ରଭୁଙ୍କ ନାମରେ ମୋʼ ସଙ୍ଗେ ଏକ ଶପଥ କର, ମୁଁ ତୁମ୍ଭମାନଙ୍କ ପ୍ରତି ଦୟା କରିଅଛି, ଏହେତୁ ତୁମ୍ଭେମାନେ ମଧ୍ୟ ଯେ ମୋʼ ପିତୃକୁଳ ପ୍ରତି ଦୟା କରିବ, ଏ ବିଷୟରେ ମୋତେ ଏକ ସତ୍ୟ-ଚିହ୍ନ ଦିଅ।