ଯିହୋଶୂୟ 22

ତୁମ୍ଭେମାନେ ବହୁଦିନାବଧି ଆଜି ପର୍ଯ୍ୟନ୍ତ ଆପଣା ଆପଣା ଭ୍ରାତୃଗଣକୁ ତ୍ୟାଗ କରି ନାହଁ, ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଆଜ୍ଞା ପାଳନ କରିଅଛ।

Joshua 22:3 (UKJV) All of you have not left your brethren these many days unto this day, but have kept the charge of the commandment of the LORD your God.

1ଏଥିଉତ୍ତାରେ ଯିହୋଶୂୟ ରୁବେନୀୟ ଓ ଗାଦୀୟ ବଂଶକୁ ଓ ମନଃଶିର ଅର୍ଦ୍ଧ ବଂଶକୁ ଡାକି ସେମାନଙ୍କୁ କହିଲେ,

2“ସଦାପ୍ରଭୁଙ୍କ ସେବକ ମୋଶା ତୁମ୍ଭମାନଙ୍କୁ ଯେ ଯେ ଆଜ୍ଞା ଦେଇଥିଲେ, ସେ ସବୁ ତୁମ୍ଭେମାନେ ପାଳନ କରିଅଛ; ପୁଣି ଆମ୍ଭେ ତୁମ୍ଭମାନଙ୍କୁ ଯେ ଯେ ଆଜ୍ଞା ଦେଇଅଛୁ, ସେସବୁରେ ତୁମ୍ଭେମାନେ ଆମ୍ଭ ରବ ଶୁଣିଅଛ;

3ତୁମ୍ଭେମାନେ ବହୁଦିନାବଧି ଆଜି ପର୍ଯ୍ୟନ୍ତ ଆପଣା ଆପଣା ଭ୍ରାତୃଗଣକୁ ତ୍ୟାଗ କରି ନାହଁ, ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଆଜ୍ଞା ପାଳନ କରିଅଛ।

4ଏବେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପଣା ପ୍ରତିଜ୍ଞାନୁସାରେ ତୁମ୍ଭମାନଙ୍କ ଭ୍ରାତୃଗଣକୁ ବିଶ୍ରାମ ଦେଇଅଛନ୍ତି; ଏନିମନ୍ତେ ସଦାପ୍ରଭୁଙ୍କ ସେବକ ମୋଶା ଯର୍ଦ୍ଦନ ସେପାରିରେ ତୁମ୍ଭମାନଙ୍କ ଯେଉଁ ଅଧିକାର ଦେଇଅଛନ୍ତି, ତୁମ୍ଭେମାନେ ଏବେ ଆପଣାମାନଙ୍କୁ ସେହି ଅଧିକୃତ ଦେଶକୁ ଓ ଆପଣା ଆପଣା ତମ୍ବୁକୁ ଫେରିଯାଅ।

5ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପ୍ରେମ କରିବାକୁ ଓ ତାହାଙ୍କର ସମସ୍ତ ପଥରେ ଗମନ କରିବାକୁ ଓ ତାହାଙ୍କ ଆଜ୍ଞା ପାଳନ କରିବାକୁ ଓ ତାହାଙ୍କଠାରେ ଆସକ୍ତ ରହିବାକୁ ଓ ସମସ୍ତ ହୃଦୟ ଓ ସମସ୍ତ ପ୍ରାଣ ସହିତ ତାହାଙ୍କୁ ସେବା କରିବାକୁ ସଦାପ୍ରଭୁଙ୍କ ସେବକ ମୋଶା ତୁମ୍ଭମାନଙ୍କୁ ଯେ ଯେ ଆଜ୍ଞା ଓ ବ୍ୟବସ୍ଥା ଦେଇଅଛନ୍ତି, ତାହାସବୁ ପାଳନ କରିବାକୁ ଅତିଶୟ ଯତ୍ନବାନ ହୁଅ।”

Indian Revised Version (IRV) Odia, © 2017, 2019, 2021 Bridge Connectivity Solutions Pvt. Ltd. Licensed CC BY-SA 4.0.