1ଏଥିଉତ୍ତାରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ଭୟ କର ନାହିଁ, କିଅବା ନିରାଶ ହୁଅ ନାହିଁ; ସମସ୍ତ ସୈନ୍ୟ ସଙ୍ଗେ ନେଇ ଉଠି ଅୟକୁ ଯାତ୍ରା କର; ଦେଖ, ଆମ୍ଭେ ଅୟର ରାଜାକୁ ଓ ତାହାର ଲୋକମାନଙ୍କୁ ଓ ତାହାର ନଗର ଓ ତାହାର ଦେଶକୁ ତୁମ୍ଭ ହସ୍ତରେ ସମର୍ପଣ କଲୁ।
2ତୁମ୍ଭେ ଯିରୀହୋ ଓ ତହିଁର ରାଜା ପ୍ରତି ଯେରୂପ କଲ, ଅୟ ଓ ତହିଁର ରାଜା ପ୍ରତି ସେରୂପ କରିବ; କେବଳ ତୁମ୍ଭେମାନେ ତହିଁର ଲୁଟଦ୍ରବ୍ୟ ଓ ପଶୁ ଆପଣାମାନଙ୍କ ନିମନ୍ତେ ନେବ; ତୁମ୍ଭେ ନଗରର ପଶ୍ଚାତ୍ ଆପଣାର ଏକ ଦଳ ସୈନ୍ୟ ଗୋପନ କରି ରଖ।”
3ତହୁଁ ଯିହୋଶୂୟ ଓ ସକଳ ସୈନ୍ୟ ଉଠି ଅୟକୁ ଯାତ୍ରା କଲେ; ପୁଣି ଯିହୋଶୂୟ ତିରିଶ ହଜାର ମହାବିକ୍ରମଶାଳୀ ଲୋକ ମନୋନୀତ କରି ରାତ୍ରିରେ ସେମାନଙ୍କୁ ପଠାଇଲେ।
4ପୁଣି ସେ ସେମାନଙ୍କୁ ଆଜ୍ଞା ଦେଇ କହିଲେ, “ଦେଖ, ତୁମ୍ଭେମାନେ ନଗର ପ୍ରତିକୂଳରେ ନଗରର ପଛଭାଗରେ ଗୋପନରେ ରହିବ; ନଗରଠାରୁ ବହୁ ଦୂରକୁ ଯିବ ନାହିଁ, ମାତ୍ର ସମସ୍ତେ ପ୍ରସ୍ତୁତ ହୋଇଥିବ।