11ଏଥିରେ ଯିପ୍ତହ ଗିଲୀୟଦର ପ୍ରାଚୀନବର୍ଗ ସହିତ ଗଲେ, ଆଉ ଲୋକମାନେ ତାଙ୍କୁ ଆପଣାମାନଙ୍କର ମସ୍ତକ ସ୍ୱରୂପ ଓ ଶାସନକର୍ତ୍ତା କଲେ; ପୁଣି ଯିପ୍ତହ ମିସ୍ପାରେ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣାର ସମସ୍ତ କଥା କହିଲେ।
12ଏଥିଉତ୍ତାରେ ଯିପ୍ତହ ଅମ୍ମୋନ-ସନ୍ତାନଗଣର ରାଜା ନିକଟକୁ ଦୂତ ପଠାଇ କହିଲେ, “ମୋହର ବିରୁଦ୍ଧରେ ତୁମ୍ଭର କି ସମସ୍ୟା ଅଛି ଯେ, ତୁମ୍ଭେ ମୋହର ଦେଶ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ମୋହର ନିକଟକୁ ଆସିଅଛ?”
13ତହିଁରେ ଅମ୍ମୋନ-ସନ୍ତାନଗଣର ରାଜା ଯିପ୍ତହଙ୍କ ଦୂତମାନଙ୍କୁ କହିଲା, “କାରଣ ଏହି, ଇସ୍ରାଏଲ ଯେତେବେଳେ ମିସରରୁ ବାହାର ହୋଇ ଆସିଲେ, ସେତେବେଳେ ଅର୍ଣ୍ଣୋନଠାରୁ ଯବ୍ବୋକ୍ ଓ ଯର୍ଦ୍ଦନ ପର୍ଯ୍ୟନ୍ତ ମୋହର ଭୂମି ହରଣ କଲେ; ଏଣୁ ଏବେ ବିରୋଧ ନ କରି ତାହା ଫେରାଇ ଦିଅ।”
14ତହିଁରେ ଯିପ୍ତହ ଅମ୍ମୋନ-ସନ୍ତାନଗଣର ରାଜା ନିକଟକୁ ପୁନର୍ବାର ଦୂତ ପଠାଇ ତାହାକୁ କହିଲେ;
15“ଯିପ୍ତହ ଏହି କଥା କହେ, ମୋୟାବର ଭୂମି କିଅବା ଅମ୍ମୋନ-ସନ୍ତାନଗଣର ଭୂମି ଇସ୍ରାଏଲ ହରଣ କରି ନାହିଁ।