18ଏଥିଉତ୍ତାରେ ସେ ପ୍ରାନ୍ତର ଦେଇ ଯାଇ ଇଦୋମ ଦେଶ ଓ ମୋୟାବ ଦେଶ ଘୁରି ମୋୟାବ ଦେଶର ପୂର୍ବଦିଗ ଦେଇ ଆସି ଅର୍ଣ୍ଣୋନର ସେପାରିରେ ଛାଉଣି ସ୍ଥାପନ କଲେ; ମାତ୍ର ସେମାନେ ମୋୟାବ-ସୀମା ଭିତରେ ପ୍ରବେଶ କଲେ ନାହିଁ, କାରଣ ଅର୍ଣ୍ଣୋନ ମୋୟାବର ସୀମା ଥିଲା।
19ପୁଣି ଇସ୍ରାଏଲ ହିଷ୍ବୋନର ଇମୋରୀୟ ରାଜା ସୀହୋନ ନିକଟକୁ ଦୂତ ପଠାଇଲେ; ପୁଣି ଇସ୍ରାଏଲ ତାହାକୁ କହିଲେ, ‘ବିନୟ କରୁଅଛୁ, ତୁମ୍ଭ ଦେଶ ଦେଇ ଆମ୍ଭମାନଙ୍କ ସ୍ଥାନକୁ ଯିବା ପାଇଁ ଆମ୍ଭମାନଙ୍କୁ ଦିଅ।’
20ମାତ୍ର ସୀହୋନ ଆପଣା ସୀମା ଦେଇ ଯିବା ପାଇଁ ଇସ୍ରାଏଲକୁ ବିଶ୍ୱାସ କରୁ ନ ଥିବାରୁ ଅନୁମତି ଦେଲା ନାହିଁ; ପୁଣି ସୀହୋନ ଆପଣାର ସମସ୍ତ ଲୋକଙ୍କୁ ଏକତ୍ର କରି ଯହସରେ ଛାଉଣି ସ୍ଥାପନ କରି ଇସ୍ରାଏଲ ସଙ୍ଗେ ଯୁଦ୍ଧ କଲା।
21ତହିଁରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ସୀହୋନକୁ ଓ ତାହାର ସମସ୍ତ ଲୋକଙ୍କୁ ଇସ୍ରାଏଲ ହସ୍ତରେ ସମର୍ପଣ କରନ୍ତେ, ସେମାନେ ସେମାନଙ୍କୁ ଆଘାତ କଲେ। ଏହିରୂପେ ଇସ୍ରାଏଲ ସେହି ଦେଶ ନିବାସୀ ଇମୋରୀୟମାନଙ୍କ ସମସ୍ତ ଦେଶ ଅଧିକାର କଲେ।
22ସେମାନେ ଅର୍ଣ୍ଣୋନଠାରୁ ଯବ୍ବୋକ୍ ପର୍ଯ୍ୟନ୍ତ ଓ ପ୍ରାନ୍ତରଠାରୁ ଯର୍ଦ୍ଦନ ପର୍ଯ୍ୟନ୍ତ ଇମୋରୀୟମାନଙ୍କର ସମସ୍ତ ସୀମା ଅଧିକାର କଲେ।