3ଏଥିପାଇଁ ଆମ୍ଭେ ମଧ୍ୟ କହିଲୁ, ‘ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖରୁ ସେମାନଙ୍କୁ ଘଉଡ଼ାଇ ଦେବା ନାହିଁ; ମାତ୍ର ସେମାନେ ତୁମ୍ଭମାନଙ୍କ ପାର୍ଶ୍ୱରେ କଣ୍ଟକ ଓ ସେମାନଙ୍କ ଦେବତାମାନେ ତୁମ୍ଭମାନଙ୍କ ପ୍ରତି ଫାନ୍ଦ ହେବେ।’”
4ଯେତେବେଳେ ସଦାପ୍ରଭୁଙ୍କ ଦୂତ ଇସ୍ରାଏଲର ସମସ୍ତ ସନ୍ତାନଙ୍କୁ ଏହି କଥା କହିଲେ, ସେତେବେଳେ ଲୋକମାନେ ରବ ଉଠାଇ ରୋଦନ କଲେ।
5ଏନିମନ୍ତେ ସେମାନେ ସେହି ସ୍ଥାନର ନାମ ବୋଖୀମ ରଖିଲେ; ପୁଣି ସେମାନେ ସେଠାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କଲେ।
6ଯିହୋଶୂୟ ଆପଣା ନିକଟରୁ ଲୋକମାନଙ୍କୁ ବିଦାୟ କଲା ଉତ୍ତାରେ ଇସ୍ରାଏଲ ସନ୍ତାନମାନଙ୍କର ପ୍ରତ୍ୟେକେ ଅଧିକାର କରିବା ନିମନ୍ତେ ଆପଣା ଆପଣା ଦେଶକୁ ଗଲେ।
7ଯିହୋଶୂୟଙ୍କର ଜୀବନଯାଏ ଓ ଯେଉଁ ପ୍ରାଚୀନମାନେ ଇସ୍ରାଏଲ ପକ୍ଷରେ ସଦାପ୍ରଭୁଙ୍କ କୃତ ସମସ୍ତ ମହତ କର୍ମ ଦେଖିଥିଲେ, ସେମାନଙ୍କ ମଧ୍ୟରୁ ଯେଉଁମାନେ ଯିହୋଶୂୟଙ୍କ ଉତ୍ତାରେ ଜୀବିତ ଥିଲେ, ସେମାନଙ୍କ ଜୀବନଯାଏ ଲୋକମାନେ ସଦାପ୍ରଭୁଙ୍କ ସେବା କଲେ।